ମାଲକାନଗିରି- କିଛିଦିନ ତଳେ ସ୍ବାଭିମାନ ଅଞ୍ଚଳରେ ସ୍ବଚ୍ଛ ଭାରତ ଅଭିଯାନରେ ତିଆରି ହୋଇଥିବା ପାଇଖାନା ଦୁର୍ନୀତି ସମ୍ବନ୍ଧରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଏହାକୁ ଅତି ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ନିଜେ ମଧ୍ୟ ସେହି ଅଞ୍ଚଳ ଗସ୍ତ କରିଥିଲେ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହି ପାଇଖାନା ନିର୍ମାଣ ଦୁର୍ନୀତି ସମ୍ବନ୍ଧରେ ଗଣମାଧ୍ୟମରେ ପ୍ରକାଶ ପାଇବା ପୁର୍ବରୁ ପ୍ରଶାସନ ନିକଟରେ ଏହାର କୌଣସି ଖବର ନଥିବା ଅତି ଦୁଃଖର ବିଷୟ । ଅନ୍ୟ ପକ୍ଷରେ ଦୀର୍ଘ ଦିନ ହେବ ଅନୁଗୁଳବାସୀ ଶ୍ରୀମତୀ ଅଞ୍ଚଲ ଅଗ୍ରୱାଲ ସ୍ଵାମୀ ସୁଶିଲ ଅଗ୍ରୱାଲ ମାଲକାନଗିରି ଜିଲ୍ଲାରେ ଲେବର କିଟ୍ ପ୍ରଦାନରେ ମହା ଦୁର୍ନୀତି କରିଥିବାର ପର୍ଦାଫାସକଂଗ୍ରେସ ଦଳ ତରଫରୁ କରା ଯାଇଥିଲା । ଏ ସମ୍ବନ୍ଧରେ ଜିଲ୍ଲାପାଳ ମନିଷ ଅଗ୍ରବାଲ ସମ୍ପୂର୍ଣ୍ଣ ଅବଗତ ଥିଲେ ମଧ୍ୟ ଉକ୍ତ ମହାଦୁର୍ନୀତିର ବର୍ତ୍ତମାନ ସୁଦ୍ଧା କୌଣସି ତଦନ୍ତ କାହିଁକି କରିନାହାନ୍ତି , ଏହା ସନ୍ଦେହଜନକ । ମାଲକାନଗିରି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ଦୁର୍ନୀତିରେ ଲିପ୍ତ ଥିବା ନେଇ ଏକ ଅଡିଓ ଟେପ୍ ବିଭିନ୍ନ ଗଣମାଧ୍ୟମରେ ଗତ ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରକାଶ ପାଇଥିଲା । ଏହାପରେ ଜିଲ୍ଲା କଂଗ୍ରେସ କମିଟି ମାଲକାନଗିରି ସେପ୍ଟେମ୍ବର ୧୯ ତାରିଖରେ ମାଲକାନଗିରି ଅତିରିକ୍ତ ଏସ୍.ପି. ଏବଂ ଜିଲ୍ଲାପାଳ ମହୋଦୟଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଜିଲ୍ଲାପାଳ କଂଗ୍ରେସ ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇଥିଲେ ଯେ , ଖୁବ୍ କମ୍ ସମୟ ମଧ୍ୟରେ ଶ୍ରୀ ମନୋଜ ପ୍ରଧାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଗତ ତା . ୨୮.୦୯.୨୦୨୦ ରିଖ ଦିନ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗଣଧାରଣା ଦିଆ ଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ୧୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏ ସମ୍ବନ୍ଧରେ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ତାହା ପ୍ରଶ୍ନବାଚୀ । ଅନ୍ୟ ପକ୍ଷରେ ଏହି ଘଟଣାର ସମସ୍ତ ପ୍ରମାଣ ପୋଲିସ ପ୍ରଶାସନ ନିକଟରେ ଥାଇ ମଧ୍ୟ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ରହସ୍ୟ କଣ । ଭାଇରାଲ ହୋଇଥିବା ଓଡିଓ ରେ ଶ୍ରୀ ପ୍ରଧାନ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାମ ମଧ୍ୟ ନେଇଛନ୍ତି , ଏଥିରୁ ସ୍ପଷ୍ଟ ଅନୁମେୟ ଯେ , ମନୋଜ ପ୍ରଧାନଙ୍କ ସହ ଜିଲ୍ଲାର ବିଭିନ୍ନ ପଦାଧିକାରୀଙ୍କ ମଧୁଚନ୍ଦିକା ଥିବା ବାରି ହେଉଛି । ଯଦି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଓଡିଶାର ମାନ୍ୟବର ଲୋକପାଲ ଏବଂ ରାଜ୍ୟ ଭିଜିଲାନ୍ସଙ୍କ ନିକଟରେ ଉକ୍ତ ଅଡିଓ ଆଧାରରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ସହ ଜିଲ୍ଲାପାଳ ଶ୍ରୀ ମନିଷ ଅଗ୍ରୱାଲ ଓ ଅନ୍ୟାନ୍ୟ ଅଧିକାରୀଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ ହେବ ବୋଲି ଏକ ପ୍ରେସ ଇସ୍ତାହାରରେ କଂଗ୍ରସ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି !
Related Stories
November 24, 2024
November 23, 2024