ଭୁବନେଶ୍ୱର– ବିଧାନସଭା ଅଧୀନସ୍ଥ ପଟେଲ ହଲ (ପୁରାତନ ବିଧାନସୌଧ), ପୂର୍ବତନ ବିଧାୟକଙ୍କ ଗେଷ୍ଟ ହାଉସ୍, ନୂତନ ଗେଷ୍ଟ ହାଉସ୍ ଏବଂ ବିଧାୟକ ଭବନର ରକ୍ଷଣାବେକ୍ଷଣ ରାସ୍ତା ଓ କୋଠାବାଡ଼ି ଡିଭିଜନ୍-୧ ଅଧୀନକୁ ଆଣିବା ପାଇଁ ଏକ ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।
ପଟେଲ ହଲ (ପୁରାତନ ବିଧାନସୌଧ), ପୂର୍ବତନ ବିଧାୟକଙ୍କ ଗେଷ୍ଟ ହାଉସ୍, ନୂତନ ଗେଷ୍ଟ ହାଉସ୍,ବିଧାୟକ ଭବନ ଏବଂ ୟୁନିଟ୍-୪ରେ ଥିବା ବିଧାୟକମାନଙ୍କ ବାସଗୃହ ପୂର୍ତ ବିଭାଗ ଅନ୍ତର୍ଗତ ଦୁଇଟି ଡିଭିଜନ୍ ଦ୍ୱାରା ରକ୍ଷଣାବେକ୍ଷଣ ହେଉଥିବାରୁ ଅନେକ ଅସୁବିଧା ପରିଲକ୍ଷିତ ହେଉଛି ବୋଲି ବୈଠକ ପ୍ରାରମ୍ଭରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ସୂଚନା ଦେଇଥିଲେ । ତେଣୁ ଏହି କୋଠାଗୁଡ଼ିକ ରାସ୍ତା ଓ କୋଠାବାଡ଼ି ଡିଭିଜନ୍-୧ ଅଧୀନକୁ ଆଣିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ ।
ଏହି ଅସୁବିଧାକୁ ଦୃଷ୍ଟିରେ ରଖି ବୈଠକରେ ଉପରୋକ୍ତ କୋଠାଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁବନେଶ୍ୱର ରାସ୍ତା ଓ କୋଠାବାଡ଼ି ଡିଭିଜନ୍-୧କୁ ହସ୍ତାନ୍ତର କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏଥି ନିମନ୍ତେ ଆବଶ୍ୟକୀୟ ବ୍ୟୟବରାଦ ମଧ୍ୟ କରାଯିବ । ତଦନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବାଚସ୍ପତି ଡ. ପାତ୍ର ସଂପୃକ୍ତ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ଭୁବନେଶ୍ୱର ରାସ୍ତା ଓ କୋଠାବାଡ଼ି ଡିଭିଜନ୍-୧ର ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ଡିଭିଜନ୍ ର ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ ।