ପୁରୀ– ସ୍ୱର୍ଗଦ୍ୱାର ଠାରେ ଗତକାଲି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ କୋଭିଡ଼୍ ଆଇନ୍ କୁ ଅଣଦେଖା କରିବା ନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ନିମାପଡ଼ା ବିଧାୟକ ତଥା ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାମରେ ସମୂଦ୍ରକୂଳ ଥାନାରେ ଜଗନ୍ନାଥ ସେନା ପକ୍ଷରୁ ଆଜି ଏତଲା ହୋଇଛି ।
ସେନା ପକ୍ଷରୁ ଏତଲାରେ ଦର୍ଶାଯାଇଛି ଯେ, ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍ ଥାଇ କିପରି ପୁରୀ ସ୍ୱର୍ଗଦ୍ୱାରକୁ ଆସି ମହାରଥୀଙ୍କ ଶେଷ କୃତ୍ୟରେ ସାମିଲ୍ ହେଲେ । ତାର ଜବାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖନ୍ତୁ । ପୂର୍ବରୁ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସେନା ପକ୍ଷରୁ ଦାବି କରାଯିବା ସହ ସିଂହଦ୍ୱାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ବେଳେ ସାମାଜିକ ଦୂରତା ଉଲ୍ଲଙ୍ଘନ ଅଭିଯୋଗରେ ପୋଲିସ ସେନାର କର୍ମୀଙ୍କୁ ଗିରଫ କରିଥଲା । ତେବେ ଓଡ଼ିଶାରେ କଣ ଦୁଇ ପ୍ରକାର ଆଇନ୍ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।