ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ପ୍ରାୟ ୧୮ଟି ସାହି ଗଳିକନ୍ଦିର ଉନ୍ନତିମୂଳକ କାର୍ଯ୍ୟ ଓ ସମସ୍ୟାକୁ ବୁଲି ତଦାରଖ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଓ ନିଗମ କମିଶନର ସିଦ୍ଧେଶ୍ୱର ବାଳିରାମ ବନ୍ଦାରୋ । ଶନିବାର ସକାଳ ୮ଟାରେ ମହାନଗର ନିଗମ କାର୍ଯ୍ୟାଳୟରୁ ରାମଲିଙ୍ଗମ ଟ୍ୟାଙ୍କର ସୌନ୍ଦର୍ଯ୍ୟକରଣ ବୁଲି ଦେଖିବାପରେ ବିଜିପୁର ପୋଖରୀ ନିକଟସ୍ଥ ଡ୍ରେନ୍, ଖ୍ରୀଷ୍ଟିୟାନ ହସ୍ପିଟାଲ ରୋଡ୍, ରାମହରିନଗର ଓ ଶାସ୍ତ୍ରୀନଗରର ଡ୍ରେନ୍, ଖୋଡାସିଂ ମୁଖ୍ୟରାସ୍ତାର ଡ୍ରେନ୍, ଆଙ୍କୁଲି ଫ୍ଲାଏ ଓଭରବ୍ରିଜ୍ ସାଇଡ୍ ଡ୍ରେନ୍, ବିଦ୍ୟୁତ୍ପୁରୀ କଲୋନୀର ଓଡିଆର୍ପି କାର୍ଯ୍ୟ, ଜୟପ୍ରକାଶ ନଗର ଛକ ନିକଟସ୍ଥ ଡ୍ରେନ୍, ଅଯଧ୍ୟାନଗର ପାର୍କ, ଗୋଷାଣୀନୂଆଗାଁ ଶ୍ମଶାନ ଓ ଆଗୁଳାବନ୍ଧ, ବେଡାବନ୍ଧ, ଅନ୍ଧପସରା ରୋଡ୍, ଆମ୍ବ ବଜାର, ମୁସ୍ଲିମ୍ ଗ୍ରାଉଣ୍ଡ, ମିନାକ୍ଷୀ ନଗର, ଆଇନ୍ବନ୍ଧ, ଲାଠି ରୋଡ୍, ଜଗବନ୍ଧୁ ସାହି ଠାରୁ ହରିଡାଖଣ୍ଡି, ଆସିକା ରୋଡ୍ ଶ୍ମାଶନ ଓ ଟର୍ମିନାଲ, ନିଳାଦ୍ରିବିହାର ପ୍ରଥମ ଲାଇନ୍, ଗେଟ୍ ବଜାର, ଲୋଚାପଡା ମୁଖ୍ୟରାସ୍ତା ଡ୍ରେନ୍, ବ୍ରହ୍ମାନଗର, ଜ୍ୟୋତିନଗର ଡ୍ରେନ୍ ଓ ଏମ୍କେସିଜି ମେଡିକାଲ୍ ହସ୍ପିଟାଲ ଓ ଡ୍ରେନ୍ର ସଫେଇ କାର୍ଯ୍ୟର ତଦାରଖ କରିଥିଲେ । ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକତା ଅନୁସାରେ ଯୁଦ୍ଧକାଳୀନଭିତ୍ତିରେ କାର୍ଯ୍ୟ ସାରିବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ରେନ୍ ସଫେଇ ହେଉନଥିବା ଓ ବିଭିନ୍ନ ସାହି ଗଳିକନ୍ଦିରେ ରାସ୍ତା ସଠିକ୍ ଭାବେ ନିର୍ମାଣ ହୋଇନଥିବା ସହ ଜାନୀବିଲି ପାନୀୟଜଳ ଯୋଗାଣ ନାମରେ ସାହି ଗଳିକନ୍ଦିରେ ଠିକା ନେଇଥିବା ସଂସ୍ଥା ରାସ୍ତା ଖୋଳି ଦେଇଥିବାରୁ ଯାତାୟାତରେ ଅସୁବିଧା ଉପୁଜିଛି ବୋଲି ସ୍ଥାନୀୟବାସିନ୍ଦାମାନେ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେଣୁ ଏଥିପ୍ରତି ଦୃଷ୍ଟିଦେବାକୁ କମିଶନରଙ୍କୁ କହିଥିଲେ । ଗସ୍ତ ସମୟରେ ଡେପୁଟି କମିଶନର ରୋମାଞ୍ଚଳ ଖମାରୀ, ସଞ୍ଜିତ ପାଣିଗ୍ରାହୀ ମଦନ ଦଳେଇ, ମଳୟ ବିଷୋୟୀଙ୍କ ସମେତ ବିଏମ୍ସିର ଇଞ୍ଜିନିୟର ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଧାୟକ ଓ ସାଂସଦଙ୍କ ଏଭଳି କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି ।
Related Stories
November 27, 2024
November 27, 2024