କନ୍ଧମାଳ- ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସାମାଜିକ ଗୋଷ୍ଠୀ ଗୁଡ଼ିକ ମଧ୍ୟରେ ସୁସମନ୍ୱୟ ପ୍ରତିଷ୍ଠା ଏବଂ ସମ୍ମିଳିତ ଉଦ୍ୟମ ମାଧ୍ୟମରେ କନ୍ଧମାଳ ଜିଲ୍ଲାକୁ ବାଲ୍ୟବିବାହମୁକ୍ତ ଜିଲ୍ଲାରେ ପରିଣତ କରିବା ଉଦ୍ଦେଶ୍ୟରେ ଗଠିତ ଟାସ୍କ ଫୋର୍ସ କମିଟିର ନିଷ୍ପତିକ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ହେବାକୁଥିବା ସ୍ୱତନ୍ତ୍ର ଗ୍ରାମସଭାଟିକୁ ଶିଶୁ ଅଧିକାର ଗ୍ରାମ ସଭା ଭାବରେ ନାମିତ କରିବାକୁ ନିଷ୍ପତି ନିଆଯାଇଥିଲା । ତଦନୁସାରେ, ପଂଚାୟତିରାଜ ବିଭାଗ ତରଫରୁ ବୁଧବାର ଜିଲ୍ଲାର ସମସ୍ତ ପଂଚାୟତରେ ଅନୁଷ୍ଠିତ ଗ୍ରାମ ସଭାରେ ସମ୍ପୃକ୍ତ ଅଂଚଳର ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ମଧ୍ୟଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭାଗୀଦାରି ହେବାର ସୁଯୋଗ ଦିଆଯାଇଥିଲା । ଏହି ଗ୍ରାମସଭାଗୁଡ଼ିକରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଜନିଜ ପଞ୍ଝାୟତକୁ ବାଲ୍ୟ ବିବାହ ମୁକ୍ତ ଓ ଶିଶୁ ଉପଯୋଗୀ ପଂଚାୟତ ରୂପେ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଆଗତ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ, ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଉପସ୍ଥିତ ସରପଞ୍ଝ, ଅନ୍ୟାନ୍ୟ ସରକାରୀ ପଦାଧିକାରୀ ଏବଂ ଛାତ୍ରଛାତ୍ରୀମାନେ ଶପଥପାଠ କରିଥିଲେ । ଏଥିସହିତ, ଆଗାମୀ ଦିନରେ ଏହାକୁ ଗୁରୁତ୍ୱର ସହିତ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକୀୟ କାର୍ଯ୍ୟଖସଡ଼ା ପ୍ରସ୍ତୁତି ସହିତ ଆଗାମୀ ପଲ୍ଲୀସଭା ଏବଂ ଗ୍ରାମସଭାରେ ଏହାକୁ ଉପସ୍ଥାପିତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଶିଶୁ ସୁରକ୍ଷା କମିଟି, ଅନ୍ତରଙ୍ଗ, ଚାଇଲ୍ଡ ଲାଇନ୍, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଏବଂ ଆକ୍ସନ୍ ଏଡ୍ର ସଦସ୍ୟସଦସ୍ୟା ମାନେ ନିଷ୍ଠାର ସହିତ କାର୍ଯ୍ୟ କରିବା ସଙ୍ଗେସଙ୍ଗେ ଆଗାମୀ ପଲ୍ଲୀସଭା ଏବଂ ଗ୍ରାମସଭା ଗୁଡ଼ିକରେ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା ।