
ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ପଥ ‘ଅଟଳ ଟନେଲ’ର ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ଉଲ୍ଲେଖନୀୟ ଯେ ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ । ଏହାର ଦୈର୍ଘ୍ୟ ୯.୦୨ କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା ସହ ସଡ଼କପଥରେ ଯୋଡ଼ିବ । ପୂର୍ବରୁ ଏହି ଉପତ୍ୟକାରେ ଶୀତଦିନେ ପ୍ରବଳ ତୁଷାରପାତ ଘଟୁଥିବା ହେତୁ ବର୍ଷରେ ଛଅମାସ ପର୍ଯ୍ୟନ୍ତ ବନ୍ଦ ରହୁଥିଲା ।
ଏହି ସୁଡ଼ଙ୍ଗ ହିମାଳୟ ପର୍ବତମାଳାର ପୀର ପଞ୍ଜାଲ ଶୃଙ୍ଖଳାରେ ସମୁଦ୍ର ପତ ନ ଠାରୁ ହାରାହାରୀ ୩୦୦୦ ମିଟର (୧୦,୦୦୦ ଫୁଟ ଉଚ୍ଚତା)ରେ ଅବସ୍ଥିତ । ଏହାକୁ ଅତ୍ୟାଧୁନିକ ପ୍ରଯୁକ୍ତି ଦ୍ୱାରା ନିର୍ମାଣ କରାଯାଇଛି ।
ଏହି ସୁଡ଼ଙ୍ଗ ମାର୍ଗ ପ୍ରଶସ୍ତ ହେବା ଦ୍ୱାରା ମନାଲୀ ଏବଂ ଲେହ ମଧ୍ୟରେ ପ୍ରାୟ ୪୬ କିଲୋମିଟର ରାସ୍ତାର ଦୂରତା କମିବ ଏବଂ ଲୋକମାନଙ୍କ ଯାତାୟାତରେ ମଧ୍ୟ ୪ ରୁ ୫ ଘଂଟା ସମୟ ବଂଚିିବ ।
ଅଟଳ ସୁଡ଼ଙ୍ଗର ଦକ୍ଷିଣ ପୋର୍ଟାଲ (ଏସପି) ମନାଲୀ ଠାରୁ ୨୫ କିଲୋମିଟର ଦୂରରେ ସମୁଦ୍ର ପତନ ଠାରୁ ୩୦୬୦ ମିଟର ଉଚ୍ଚତାରେ ଅବସ୍ଥିତ ଏବଂ ସୁଡ଼ଙ୍ଗର ଉତ୍ତର ପୋର୍ଟାଲ (ଏନପି) ଲାହୌଲ ଉପତ୍ୟକାର ସିସୁସ୍ଥିତ ତେଲିଙ୍ଗ ଗ୍ରାମ ନିକଟରେ ସମୁଦ୍ର ପତ୍ତନ ଠାରୁ ୩୦୭୧ ମିଟର ଉଚ୍ଚତାରେ ନିର୍ମିତ ।
ଏହି ସୁଡ଼ଙ୍ଗ ଅଶ୍ୱ କ୍ଷୁରାକୃତି ବିଶିଷ୍ଟ । ଏହା ସିଙ୍ଗଲ ଟ୍ୟୁବ୍ ଏବଂ ଡବଲ ଲେନ ବିଶିଷ୍ଟ ରାଜମାର୍ଗ ଏବଂ ସଡ଼କର ଚଉଡ଼ା ଆଠ ମିଟର । ସେହିଭଳି ଏହାର ଉଚ୍ଚତା ୫.୫୨୫ ମିଟର ।
ଏଥିରେ ୧୦.୫ ମିଟର ଚଉଡ଼ା ଓ ୩.୬ଙ୍ଘ୨.୨୫ ମିଟରର ଅଗ୍ନିନିରୋଧୀ ଆପାତକାଳୀନ ସୁଡ଼ଙ୍ଗ ମାର୍ଗ ରହିଛି ଯାହାକି ମୁଖ୍ୟ ସୁଡ଼ଙ୍ଗ ସହିତ ହିଁ ନିର୍ମାଣ କରାଯାଇଛି ।
ଅଟଳ ସୁଡ଼ଙ୍ଗକୁ ଏଭଳି ଭାବେ ନିର୍ମାଣ କରାଯାଇଛି ଯେ ଏହା ମଧ୍ୟ ଦେଇ ଦୈନିକ ୩୦୦୦ କାର୍ ଏବଂ ୧୫୦୦ ଟ୍ରକ ଆତଯାତ ହୋଇପାରିବ । ସୁଡ଼ଙ୍ଗ ଭିତରେ ଘଣ୍ଟାକୁ ୮୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ଏହିସବୁ ଯାନବାହନ ଯାତାୟାତ କରିପାରିବେ ।
ଏଥିରେ ସର୍ବାଧୁନିକ ଇଲେକ୍ଟ୍ରୋମେକାନିକାଲ ବ୍ୟବସ୍ଥା ରହିଛି ଏବଂ ସେଥି ମଧ୍ୟରେ ଟ୍ରାନ୍ସଭର୍ସ ଭେଂଟିଲେଟର ସିଷ୍ଟମ୍, ସ୍କାଡ଼ା ନିୟନ୍ତ୍ରକ ଅଗ୍ନି ନିର୍ବାପନ ପ୍ରଣାଳୀ, ଆଲୋକୀକରଣ ଏବଂ ମନିଟରିଂ ବ୍ୟବସ୍ଥା ସାମିଲ ।