-
ପୁରୀଜିଲ୍ଲା କଂଗ୍ରେସର ଧାରଣା ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୨/୧୦/୨୦୨୦,କେନ୍ଦ୍ରର ବିଜେପି ସରକାର ଅଗଣତାନ୍ତ୍ରିକ ଭାବେ ସଂସଦର ଉଭୟ ସଦନରେ ଉପସ୍ଥାପିତ କୃଷି ସଂକ୍ରାନ୍ତୀୟ ତିନୋଟି ବିଧେୟକ ପାରିତ କରି ରାଷ୍ଟ୍ରପତିଙ୍କ ମୋହର ମାରିବା ପରେ ଯେଉଁ ତିନୋଟି କଳା କୃଷି ଆଇନ୍ ପ୍ରଣୟନ କରାଯାଉଛି ଏହା ଦେଶର କୋଟି କୋଟି ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭାଗଚାଷୀଙ୍କ ଭବିଷ୍ୟତକୁ ଅନ୍ଧାର ଆଡ଼କୁ ଠେଲି ଦିଆଯାଇଛି । ଏଥିରେ ଚାଷୀମାନେ ବିଭିନ୍ନ କିସମ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ
ହେବେ । କ୍ରମାଗତ ଭାବେ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବ । ବହୁଦେଶୀୟ କମ୍ପାନୀମାନେ ଲାଭଖୋର ହେବା ଦ୍ବାରା ଚାଷୀଙ୍କ ଉପରେ ଏହାର ଘୋର ପ୍ରଭାବ ପଡ଼ିବ । ଓଡ଼ିଶା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକରେ ଚାଷୀ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ପାଇ ପାରୁ ନଥିବା ବେଳେ କମ୍ପାନୀମାନେ ପ୍ରଚୁର ପରିମାଣର ଉତ୍ପାଦିତ ଫସଲକୁ ହୋଡିଂ କରି ଲାଭ ଉଠାଇବା ସହ ଚାଷୀଙ୍କୁ ଶୋଷଣ କରିବେ ବୋଲି ପିସିସିର ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଓ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେଣୁ ଏହି କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଏହାର ପୁନର୍ବିଚାର କରିବାକୁ ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି ଅନୁଯାୟୀ ଆଜି ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ପବିତ୍ର ଜୟନ୍ତୀ ଅବସରରେ ପୁରୀ ଗାନ୍ଧୀଘାଟ ସ୍ଥିତ ବାପୁଜୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ, ପ୍ରତୀକ ଧାରଣା ଓ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ନିକଟକୁ କଳା ବିଲର ପୁନର୍ବିଚାର ପାଇଁ ଜିଲ୍ଲାସ୍ତରରୁ ବୁଥସ୍ତର ପର୍ଯ୍ୟନ୍ତ ଚାଷୀ ସ୍ବାକ୍ଷର ସଂଗ୍ରହ ଅଭିଯାନ ଓ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ପିସିସି ଉପସଭାପତି ତଥା କାର୍ଯ୍ୟକ୍ରମର ପୁରୀ ଜିଲ୍ଲା ପାଇଁ ପିସିସିର ପର୍ଯ୍ୟବେକ୍ଷକ ବିଶିଷ୍ଟ ଆଇନଜୀବି ଶିବାନନ୍ଦ ରାୟଙ୍କ ସମେତ ପିପିଲି ଡେଲାଙ୍ଗର ଅଜିତ ମଙ୍ଗରାଜ , ଉମାକାନ୍ତ ବରାଳ, ଲଲାଟେନ୍ଦୁ ଦାସ, ବିଦୁଲତା ଆଚାର୍ଯ୍ୟ, ପ୍ରସନ୍ନ କୁମାର ପାଇକରାୟ, ବୀରେନ୍ଦ୍ର ଭୂଷଣ ହୋତା, ସଦାନନ୍ଦ ପ୍ରଧାନ, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ବିନାୟକ ଦାସ ମହାପାତ୍ର, ଅରୋ ପ୍ରସାଦ ମିଶ୍ର, ବିଶ୍ୱକେତନ ହରିଚନ୍ଦନ ପ୍ରମୁଖଙ୍କ ସହିତ ଜିଲ୍ଲାର ସମସ୍ତ ଅଞ୍ଚଳରୁ ଆସିଥିବା କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଚାଷୀନେତାମାନେ ଉପସ୍ଥିତ ଥିଲେ।