-
ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଂଚଳର ୩୦ ହଜାର ଲୋକ ଉପକୃତ ହେବେ । ଲୋକଙ୍କୁ ଉନ୍ନତ ମାନର ବିଶ୍ୱସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ । ପାବାର କଟ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଂଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ଯେ ଏହି ୨୨୦ କେଭି ଜୟପାଟଣା ଗ୍ରୀଡ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ଗ୍ରୀଡ ଦ୍ୱାରା କଳାହାଣ୍ଡିର ଜନସାଧାରଣ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ସିଧାସଳଖ ବିଜୁଳି ଶକ୍ତି ପାଇପାରିବେ । ଆଗାମୀ ଦିନରେ ୪୭ କିଲୋମିଟର ଦୀର୍ଘ ଆଉ ଏକ ୧୩୨ କେଭି ଡବଲ ସର୍କିଟ ଲାଇନ ଜୁନାଗଡକୁ ସଂଯୁକ୍ତ କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ । ବର୍ତ୍ତମାନ ଏହା ଏକ ତ୍ୱରିତ ବିକାଶଶୀଳ ଜିଲ୍ଲା ଭାବରେ ପରିଚୟ ସୃଷ୍ଟି କରିପାରିଛି । କୃଷି କ୍ଷେତ୍ରରେ ଜିଲ୍ଲାର ଦ୍ରୁତ ଉନ୍ନତି ହୋଇଛି । ଜଳସେଚନର ସୁବିଧା ପାଇଁ ରେତ ଜଳସେଚନ ପ୍ରକଳ୍ପ ସହିତ ଆହୁରି ଅନେକ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ସରକାରୀ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ପରିଣତ କରାଯାଇଛି । ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡିଶାର ଅର୍ଥନୈତିକ ଜୀବନଧାରା ହେବାକୁ ଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଜିଲ୍ଲାର ଅର୍ଥନୈତିକ ବିକାଶକୁ ମଧ୍ୟ ଏହା ତ୍ୱରାନ୍ୱିତ କରିବ ।
ବାର୍ନେ ଠାରେ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡକ ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନତି ଆସିଛି । ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି । ବିଜୁ ଏକ୍ସପ୍ରେସ ୱେ ଦ୍ୱାରା କଳାହାଣ୍ଡିରେ ଶିଳ୍ପ ବିକାଶ ହେବ ବୋଲି ସେ କହିଥିଲେ । ଆଜିର ବିଦ୍ୟୁତ ପ୍ରକଳ୍ପ ପାଇଁ ସେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ ।
ବିରୋଧୀ ଦଳର ନେତା ଶ୍ରୀ ପ୍ରଦୀପ୍ତ ନାଏକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିରେ ବିକାଶ ଆସିଛି । ବାମ କେନାଲ ତିଆରି ହେବା ପରେ କଳାହାଣ୍ଡି ଜିଲ୍ଲା ଏବେ ଧାନ ଉତ୍ପାଦନରେ ସୁନାମ ଅର୍ଜନ କରିଛି । ଦକ୍ଷିଣ କେନାଲର ନିର୍ମାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆଜିର ବିଦ୍ୟୁତ ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।
ଏହି ଅବସରରେ କଳାହାଣ୍ଡିର କେତେକ ଜନସାଧାରଣ କାର୍ଯ୍ୟକ୍ରମରେ ଭାଗ ନେଇ ବିଦ୍ୟୁତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଓପିଟିସିଏଲ ର ଅଧ୍ୟକ୍ଷ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନରଲା ବିଧାୟକ ଶ୍ରୀ ଭୂପିନ୍ଦିର ସିଂ, ଉନ୍ନୟନ କମିଶନର ଯୋଗ ଦେଇଥିଲେ । ଶକ୍ତି ସଚିବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ