ଭୁବନେଶ୍ୱର – ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କ ପିତା ଶ୍ରୀକୃଷ୍ଣ ବିର୍ଲାଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତାରେ ଡ. ପାତ୍ର କହିଛନ୍ତି ଯେ, ସ୍ୱର୍ଗତ ଶ୍ରୀକୃଷ୍ଣ ବିର୍ଲା ଜଣେ ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ ସହିତ ମହାନ ସମାଜସେବୀ ଥିଲେ । ବିଭିନ୍ନ ସରକାରୀ ବିଭାଗରେ ପଦାଧିକାରୀ ଭାବେ କାର୍ଯ୍ୟ କରି ସେ ସୁନାମ ଅର୍ଜନ କରିଥିଲେ । କର୍ମଚାରୀ ସଂଗଠନର କାର୍ଯ୍ୟକର୍ତା ଭାବେ ତାଙ୍କର କାର୍ଯ୍ୟଶୈଳୀ ଉଚ୍ଚକୋଟୀର ଥିଲା ।
ରାଜସ୍ଥାନରେ ସହକାର ପୁରୁଷ ଭାବେ ସେ ଖୁବ୍ ଲୋକପ୍ରିୟ ଥିଲେ । ସେ ପିତାମହ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କେବଳ କୋଟା ଜିଲ୍ଲା ନୁହେଁ ସମଗ୍ର ରାଜସ୍ଥାନରେ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ । ତାଙ୍କର ପରଲୋକରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ରହିବ ।
ବାଚସ୍ପତି ଡ. ପାତ୍ର ସ୍ୱର୍ଗତ ଶ୍ରୀକୃଷ୍ଣ ବିର୍ଲାଙ୍କ ପ୍ରତି ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।