ରାଉରକେଲା– ସୁନ୍ଦରଗଡ ଜିଲ୍ଲାରେ ନିର୍ମାଣ ଶ୍ରମିକ ମାନଙ୍କୁ ନେଇ ହୋଇଥିବା କାର୍ଡରେ ପାଖା ପାଖି ୧୨ ରୁ ୧୫ ହଜାର ଜାଲ୍ କାର୍ଡ ରହିଥିବା ସହ ଏଥିରେ ୧୪ କୋଟୀ ଟଙ୍କାର ହରିଲୁଟ୍ ହୋଇଥିବା ନେଇ ଗତକାଲି ସ୍ଥାନୀୟ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ଘଟଣା ପରେ ଏହି ମାମଲାରେ ରାଉରକେଲାର ୫ରୁ୬ଟି ଶ୍ରମିକ ସଂଗଠନ, କିଛି ଠିକାଦାର ଓ ସେ ସମୟରେ ଏହି କାର୍ଡଗୁଡିକୁ ସ୍ୱିକୃତି ଦେଇଥିବା ଶ୍ରମ ଅଧିକାରୀ ମାନେ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଜଣେ ଅବସରପ୍ରାପ୍ତ ଭିଜିଲାନ୍ସ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଏହା ଦ୍ୱାରା ସବୁବେଳେ ଶ୍ରମିକଙ୍କ ଲାଗି କାନ୍ଦୁଥିବା କିଛି ଲୋକଙ୍କ ଅସଲ ରୂପ ପଦାରେ ପଡିବା ସହ ଶ୍ରମିକ ମାନଙ୍କ ନାମରେ ଏହି ବାବୁ ମାନେ କିଭଳି ବ୍ୟାଟିଂ କରିପାରନ୍ତି ତାହା ପଦାରେ ପଡିବାକୁ ଯାଉଛି ବୋଲି କୁହାଯାଇଛି ।
ଅଧିକାରୀ ଜଣକ କହିଛନ୍ତି ଯେ, ଯଦି ଏକ ନିର୍ମାଣ ଶ୍ରମିକ କାର୍ଡ ତିଆରି ଲାଗି ପ୍ରଥମେ, ନିର୍ମାଣ ଶ୍ରମିକ ଦ୍ୱାରା ଆବେଦନ ହୋଇଥିବା ଦରଖାସ୍ତରେ ପଞ୍ଜିକୃତ ଶ୍ରମିକ ସଂଗଠନ ଚିହ୍ନଟ ପଡିଥିବେ, ପରେ ଏହାକୁ ଖୋଦ ଶ୍ରମ ବିଭାଗର ଅଧିକାରୀ ଯାଂଚ୍ କରି ମୋହର ଦେଇଥିବେ, ସେହି କାର୍ଡ ଧାରୀ ସବୁ ପ୍ରକାର ସୁବିଧା ନେଇଥିବେ ଓ ସେହି ସବୁ କାର୍ଡ ଯଦି ନକଲି ବାହାରିଲା ତେବେ ସେହି ସବୁ ଶ୍ରମିକ ସଂଗଠନ ଓ ଶ୍ରମ ଅଧିକାରୀ ମାନେ ତଦନ୍ତ ପରିସରଭୁକ୍ତ ହେବା ସୁନିଶ୍ଚିତ । ସମଗ୍ର ଜିଲ୍ଲାରେ ମଧ୍ୟ ଏହି ରାସ୍ତାରେ ନିର୍ମାଣ ଶ୍ରମିକ କାର୍ଡ ପ୍ରସ୍ତୁତ ହୋଇଛି । ଏହା ଛଡା ବଜାରରେ ବୁଲି ଏହି କାର୍ଡ କରିଦେବାକୁ କହି ଅର୍ଥ ଆଦାୟ କରୁଥିବା ଲୋକ ପୁଲିସ ହାତରେ ପଡିଥିବା କଥା ମଧ୍ୟ ନଜିର ରହିଛି । ତା ଛଡା ଏହି କାର୍ଡ କରାଇଦେବାକୁ କହି , ଏହି କାର୍ଡଧାରୀଙ୍କୁ ସୁବିଧା ଦେବା ଲାଗି କେତେକ ଦଲାଲ୍ ମଧ୍ୟ ଶ୍ରମ ବିଭାଗରେ ପ୍ରତିଦିନ ଡେରା ପକାଉଥିବା ଦେଖା ଯାଇଛି । ଏହି କାର୍ଡ ଏତେ ସହଜରେ ହୋଇପାରୁଛି ଏଥିରେ ଏତେ ଲାଭ ଅଛି ବୁଝାଇ କେତେକ ସାମ୍ବାଦିକଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଯାଇଥିବା ଖବର ମିଳିଛି । ଏମାନଙ୍କ ଭିତରୁ ଜଣକ ବିଷୟରେ ଜଣାପଡିବା ପରେ ପୂର୍ବରୁ ସେ ନିର୍ମାଣ ଶ୍ରମିକ ଥିଲେ, ଏବେ ସାମ୍ବାଦିକ ବୋଲି ରିପୋର୍ଟ କରି ସେହି କାର୍ଡକୁ ବାତିଲ କରାଯାଇଥିବା କଥା ପ୍ରତିଦିନ ଶ୍ରମ ବିଭାଗ ପରିସରରେ ଆଲୋଚନା ଚାଲିଛି । ଜିଲ୍ଲାରେ ମୋଟ୍୧,୧୨,୨୨୦ ଟି ନିର୍ମାଣ ଶ୍ରମିକ କାର୍ଡ ହିସାବରେ ରାଜ୍ୟ ସରକାର କୋଭିଡ୍ ସମୟରେ ୧୬ କୋଟି ୮୩ ଲକ୍ଷ ୩୦ ହଜାର ଟଙ୍କା ଯୋଗାଇ ଦେଇଥିଲେ । ଏଥିଲାଗି ରାଉରକେଲା ମହାନଗର ନିଗମର ୨୪,୨୮୧, କୁଆଁରମୁଣ୍ଡା ବ୍ଲକର ୭,୬୫୧, ଗୁରୁଣ୍ଡିଆ ୩,୧୬୦, ବୀରମିତ୍ରପୁର ପୌରପାଳିକା ୧,୬୩୫, କୋଇଡା ବ୍ଲକ ୧,୫୩୦, ନୁଆଗାଁ୯,୨୨୨, ରାଜଗାଙ୍ଗପୁର ୫,୪୯୯, ବଡଗାଁ୫,୫୧୧, ସବଡେଗା୩,୩୨୪, କୁତ୍ରା୫,୨୫୧, ହେମଗିରୀ ୨,୨୫୦, ସୁନ୍ଦରଗଡ ସଦର ୩,୪୬୪, ରାଜଗାଙ୍ଗପୁର ପୌରପାଳିକା ୪୪୨, ସୁନ୍ଦରଗଡ ପୌରପାଳିକା୧,୬୬୪, ବାଲିଶଙ୍କରା ୪,୪୦୨, ବିଶ୍ରା ୮୭୮୮, ବଣାଇଗଡ ୩,୯୦୨, ଲହୁଣୀ ପଡା ୫,୨୭୯, ଲାଠିକଟା୧,୦୨୦୮, ଲେଫ୍ରିପଡା୨,୫୭୩, ଟାଙ୍ଗରପାଲ୍ଲୀର ୨,୧୪୪ ଜଣଙ୍କର ତାଲିକା ପ୍ରସ୍ତୁତ ହୋଇ ଅର୍ଥ ବଂଟନ ଲାଗି କୁହାଯାଇଥିଲା । ତେବେ ଏହା ଭିତରୁ ରାଉରକେଲାରୁ ୪୧୨୩, କୁଆଁରମୁଣ୍ଡାରୁ ୧୯୩୮, ରାଜଗାଙ୍ଗପୁରରୁ ୨୦୧, ସବଡେଗାରୁ ୧୫୧, କୁତ୍ରାରୁ ୩୧୮, ରାଜଗାଙ୍ଗପୁରରୁ ୧୪୩, ବାଲିଶଙ୍କରାରୁ ୪୦୮, ଟାଙ୍ଗରପାଲ୍ଲୀରୁ ୧୬୪, ଗୁରୁଣ୍ଡିଆରୁ ୪୬୪, ବଣେଇରୁ ୭୦୭, ଲହୁଣୀପଡାରୁ ୪୮୪ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇ ମଧ୍ୟ ଏହି ୧୫୦୦ ଟଙ୍କା ସହାୟତା ରାଶି ନେଇ ନାହାନ୍ତି ବୋଲି ଖୋଦ୍ ସରକାରୀ ଅଧିକାରୀ ମାନେ ଆରଟିଆଇ ତଥ୍ୟରେ କହିଛନ୍ତି । ଏମାନଙ୍କ ଭିତରୁ ଆହୁରି କେତେକ ଅଧିକାରୀ ମଧ୍ୟ ତଥ୍ୟ ଏଯାଏ ଦେଇ ନାହାନ୍ତି । ତେବେ ବର୍ତମାନ ଶୁଦ୍ଧା ପାଖା ପାଖି ୧୨ରୁ ୧୫ ହଜାର କାର୍ଡ ଧାରୀ ଏହି ୧୫୦୦ ଟଙ୍କାର ସୁବିଧା ନେଇ ନାହାନ୍ତି ବୋଲି ଗତକାଲି ଭିଜିଲାନ୍ସ ପାଖରେ ଅଭିଯୋଗ ହେବା ପରେ ଶ୍ରମ ବିଭାଗ ଏହାକୁ ୧୭ ହଜାରରୁ ଅଧିକ ବୋଲି କହିଛି । ତେବେ ଏମାନେ ସାଇକେଲ, ନିର୍ମାଣ ସାମଗ୍ରୀ ଓ ସୁରକ୍ଷା ସାମଗ୍ରୀ ବାବଦକୁ ୯ ହଜାର ଗ୍ରହଣ କରିଥିବା ବେଳେ ଆଜିକୁ ୬ ମାସ ଧରି ଏହି ୧୫ ଶହ ଟଙ୍କା କାହିଁକି ନେଉନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏମାନଙ୍କୁ ବ୍ୟାଙ୍କ ଯୋଗେ ସେମାନଙ୍କ ଅର୍ଥ ଦେଇଦେବାକୁ ଜିଲ୍ଲା ପ୍ରଶାସନ କହିବା ସତ୍ୱେ ଶ୍ରମ ବିଭାଗ ତାହା କରିପାରିନଥିବା ଖବର ମିଳିଛି । ସବୁଠୁ ବଡ କଥା ହେଲା ଶ୍ରମ ବିଭାଗ ଅଧିକରୁ ଅଧିକ ଆର୍ଥିକ ମାମଲାରେ ଜିଲ୍ଲାପାଳ ଦେଖିଥାନ୍ତି, ଯଦି ଏତେ ବଡ ହରିଲୁଟର ଅଭିଯୋଗ ଆସିଛି ତେବେ ସେ ସମୟର ଜିଲ୍ଲାପାଳ ମାନଙ୍କୁ ଭିଜିଲାନ୍ସ କିଭଳି ଖୋଜିବ ତାହା ଦେଖିବାକୁ ମଧ୍ୟ ଅପକ୍ଷା କରାଯାଇଛି । ତେବେ କଂଗ୍ରେସ ନେତା ରଶ୍ମିରଂଜନ ପାଢୀ ଯେଉଁ ଅଭିଯୋଗ ଆଣିଲେ ସେଥିରେ କିଛି ଶ୍ରମିକ ସଂଗଠନର ନେତା ମାନେ ତଦନ୍ତ ପରିସରଭୁକ୍ତ କଥା ଆସିବା ପରେ ଅନେକ ଏବେ ଚିନ୍ତାରେ ପଡିଥିବା ବେଳେ ଆହୁରି କେତେକ ଶ୍ରୀ ପାଢୀଙ୍କ ଅଭିଯୋଗକୁ ଭିତିହୀନ ବୋଲି କହିଲେଣି, ଏହି ତଦନ୍ତକୁ କେତେକ ସଂଗଠନ ସ୍ୱାଗତ କରିଥିବା ବେଳେ ଏସବୁ ମାମଲା ମୁଖ୍ୟ ବୋଲି ଯେଉଁ ଅଧିକାରୀଙ୍କୁ କୁହାଯାଉଛି ତାଙ୍କର ଏକଦା ବଦଳି ବେଳେ କେଉଁ ସବୁ ସଂଗଠନ ଆନ୍ଦୋଳନ କରି ତାଙ୍କ ବଦଳି ବନ୍ଦ କରିଥିଲେ ସେମାନଙ୍କର ଏହି ମାମଲାରେ କିଭଳି ସମ୍ପୃକ୍ତି ରହିଛି ତାହା ମଧ୍ୟ ସରକାରୀ ସ୍ତରରେ ଅନୁସନ୍ଧାନ ହେବା ଆରମ୍ଭ ହୋଇଛି ।
ଅନ୍ୟପକ୍ଷରେ ଶ୍ରୀ ପାଢୀଙ୍କର ଏହି ଅଭିଯୋଗକୁ ଯଦି ଭିଜିଲାନ୍ସ ସଠିକ୍ ରାସ୍ତାରେ ତଦନ୍ତ କଲା, ତେବେ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ନିଜ ବେପାର ଚଳାଇଥିବା କିଛି ବାବୁ ମଧ୍ୟ ସରକାରଙ୍କ କବଜାକୁ ଆସିଜିବେ ଓ ଏମାନଙ୍କୁ କେହି ଯେମିତି ବାସିପାଣିରେ ଆଉ ନପଚାରିବେ ସେହି ରାସ୍ତା ମଧ୍ୟ ସରକାର କରିବେ ବୋଲି ଆଲୋଚନା ହେଉଛି । ମୋଟା ମୋଟି ଶ୍ରୀ ପାଢୀଙ୍କର ଏହି ଅଭିଯୋଗ ସମଗ୍ର ରାଜ୍ୟରେ ନିର୍ମାଣ ଶ୍ରମିକ କାର୍ଡ ଗୁଡିକର ସତ୍ୟତା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ସରକାରଙ୍କୁ ମଧ୍ୟ କିଛି ସୁବିଧାବାଦି ଲୋକଙ୍କୁ ପାନେ ଦେବାଲାଗି ସହେଯାଗ କରିଛି ବୋଲି ମତ ପ୍ରକାଶ ପାଇଛି ।