
ଭୁବନେଶ୍ୱର– କୋବିଡ କଟକଣା ମଧ୍ୟରେ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ।୧୬ତମ ବିଧାନସଭାର ୪ର୍ଥ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଏଥିରେ ୭ଟି ସରକାରୀ ଦିବସ ଗୋଟିଏ ବେସରକାରୀ ଦିବସ ରହିଛି । ଅକ୍ଟୋବର ୨ ଗାନ୍ଧି ଜୟନ୍ତି ପାଇଁ ବିଧାନସଭା ବନ୍ଦ ରହିବ । ତେବେ ଅକ୍ଟୋବର ୪ ତାରିଖ ରବିବାର ହେଲେ ମଧ୍ୟ ବିଧାନସଭାର ଅଧିବେଶନ ଚାଲିବ । ଗତ ୧୪ ତାରିଖ ଦିନ ବିଧାନସଭା ସଚିବାଳୟ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଥିଲା ।
ଏହି ଅଧିବେଶନ କାଳରେ ପ୍ରଶ୍ନକାଳ ଛାଡ଼ି ଶୂନ୍ୟକାଳ, ମୂଲତବୀ ପ୍ରସ୍ତାବ, ମୋସନ ରହିବ । ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖୁଛନ୍ତି ।
ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣକରା ଯାଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ମନ୍ତ୍ରୀ , ବିଧାୟକ, ପିଏସଓ , ବିଧାନସଭା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କରୋନା ପରୀକ୍ଷା କରାଯାଇଛି ।
ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ସଂସଦ ଢାଂଚାରେ ବସୁଛି । ପ୍ରତ୍ୟେକ ଦିନ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହ ପରିଚାଳିତ ହେବ । ପ୍ରଥମ ଦିନ ୧୧ଟାରୁ ଆରମ୍ଭ ହେବ । ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ । ସେହିଦିନ ଅପରାହ୍ନ ୩ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେବ । ଅନ୍ୟଦିନ ଗୁଡିକରେ ଗୃହ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୧୦ଟା ୩୦ରୁ ଦିନ ଗୋଟାଏ ଯାଏଁ ଚାଲିବ ଓ ପରେ ଦ୍ୱିତୀୟ ପର୍ଯ୍ୟାୟ ଗୃହ କାର୍ଯ୍ୟ ୩ଟାରୁ ୫ଟା ଯାଏଁ ପରିଚାଳିତ ହେବ ବୋଲି ନିଷ୍ପତି ଗ୍ରହଣ କରା ଯାଇଛି । ।