ଭୁୁବନେଶ୍ୱର– ଓଡିଶା ବିଧାନସଭାର ମୌସମୀ ଅଧିବେଶନ ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବ ଆଗତ ହେବା ପରେ ଏହାକୁ ନେଇ ଆଲୋଚନା ହେବା ପରେ ଏହା ପାରିତ ହୋଇଥିଲା । ଦିବଙ୍ଗତ ମାନଙ୍କର ଆତ୍ମାର ସଦଗତି ପାଇଁ ଏକ ମିନିଟ ପ୍ରାର୍ଥନା କରା ଯାଇଥିଲା । ଏହା ପରେ ବାଚସ୍ପତି ଗୃହକୁ ଦିନ ତିନିଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶୋକ ପ୍ରସ୍ତାବ ଆଣିଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ , ତିର୍ତୋଲ ବିଧାୟକ ବିଷ୍ଣୁ ଦାସ, ବାଲେଶ୍ୱର ବିଧାୟକ ମଦନ ମୋହନ ଦତ, ପୂର୍ବତନ ମନ୍ତ୍ରୀ ହର ପ୍ରସାଦ ମହାପାତ୍ର, ସହରାଇ ଓରାମ୍, ସନାତନ ବିଶି, ଶେକ ମତଲୁବ ଅଲୀ ପୂର୍ବତନ ବିଧାୟକ ଅଭିମନ୍ୟୁ କୁଁଅର, ନେଲସନ୍ ସୋରେଙ୍ଗେ, ରବୀନ୍ଦ୍ରନାଥ ଭୋଇ, ହରପ୍ରସାଦ ମହାପାତ୍ର, ଅର୍ଜୁନ୍ ସେଠୀ, ଚିନ୍ତାମଣି ଜେନା, ରାମମୂର୍ତି ମୁତିକାଙ୍କ ସହ ଦେଶ ପାଇଁ ବଳିଦାନ ଦେଇଥିବା ଓଡିଆ ଜବାନ ତଥା କରୋନା ଭଳି କଠିନ ପରିସ୍ଥିତିରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଏହାକୁ ସମର୍ଥନ କରିଥିଲେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ଉପରେ ୫୦ ମିନିଟ ଧରି ଆଲୋଚନା ହେବା ପରେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା । ଶୋକ ପ୍ରସ୍ତାବକୁ ସେମାନଙ୍କ ପରିବାରକୁ ପଠାଇ ଦିଆ ଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ।