ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଟ୍ରେନ୍ ରହଣି ଉପରେ ପୂର୍ବରୁ କଟକଣା ଜାରୀ ହୋଇଥିଲା । ରାଜ୍ୟ ସରକାର ବର୍ତମାନ ଏହି କଟକଣାକୁ ଉଠାଇ ଦେଇଛନ୍ତି । କିନ୍ତୁ, କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏନେଇ କିଛି ସ୍ପଷ୍ଟ କରିନାହାଁନ୍ତି । ଅତି ଶୀଘ୍ର କେନ୍ଦ୍ର ସରକାର ଅନୁମତିି ଦେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଳ ଷ୍ଟେସନରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପୂର୍ବତଟ ରେଳପଥ ପାସେଞ୍ଜର ଟ୍ରାନ୍ସପୋର୍ଟ ମ୍ୟାନେଜରଙ୍କୁ ଚିଠି କରାଯାଇଛି । ବର୍ତମାନ ବ୍ରହ୍ମପୁର ରେଳ ଷ୍ଟେସନରେ କେବଳ ଖୋର୍ଦ୍ଧା-ସିକନ୍ଦରାବାଦ, ଖୋର୍ଦ୍ଧା-ଓଖା ଏବଂ ଖୋର୍ଦ୍ଧା-ଗାନ୍ଧିଧାମ ଏକ୍ସପ୍ରେସ୍ ଟ୍ରେନ୍ ରହୁଛି । ରାଜ୍ୟ ସରକାର କଟକଣା ଉଠାଇଛନ୍ତି । ହେଲେ କେନ୍ଦ୍ର ରେଳବାଇ ପକ୍ଷରୁ ଏନେଇ କୌଣସି ଚିଠି ଆସିନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ଷ୍ଟେସନ ମ୍ୟାନେଜର ଦୂର୍ଗାପ୍ରସାଦ ବ୍ରହ୍ମା । ତଥାପି ଆଗାମୀ ଦିନରେ ଟ୍ରେନ୍ ରହଣିର ସମ୍ଭାବନା ଥିବାରୁ ଷ୍ଟେସନରେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟେସନରେ ସାମାଜିକ ଦୂରତା ବ୍ୟବସ୍ଥା ଓ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ପ୍ରତି ଦୃଷ୍ଟି ଦିଆଯାଉଛି । କର୍ମଚାରୀ ମାନଙ୍କୁ ଏ ସମ୍ପର୍କରେ ସତର୍କ କରାଯାଇଥିବା ସେ କହିଛନ୍ତି । ବର୍ତମାନ ସପ୍ତାହରେ ୬ଟି ଟ୍ରେନ୍ ଯାତାୟାତ କରୁଛି । ପ୍ରତିଦିନ ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଭିଡ଼ ହେଉଥିଲା । ଆଗକୁ ଅଧିକ ଟ୍ରେନ୍ ଯାତାୟାତ ସହିତ ଏଠାରେ ରହଣି ହେବ । ଯାହା ଫଳରେ ଷ୍ଟେସନରେ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି । ବ୍ରହ୍ମପୁର ରେଳ ଷ୍ଟେସନରେ ପୂର୍ବରୁ କେବଳ ସୁରତ ଟିକେଟ୍ ଉପଲବ୍ଧ ହେଉଥିଲା । କଟକଣା ହଟିବା ପରେ ଏଣିକି ସମସ୍ତ ଷ୍ଟେସନ ନିମନ୍ତେ ଟିକେଟ୍ ଦିଆଯିବ । ତେବେ ରେଳବାଇର ନିର୍ଦ୍ଦେଶ ଆସିବା ପରେ ଏହି ଟିକେଟ୍ ବିକ୍ରି ଆରମ୍ଭ ହେବ ଏବଂ ଟ୍ରେନ୍ ରହଣି ମଧ୍ୟ ହେବ ବୋଲି ମ୍ୟାନେଜର ଶ୍ରୀ ବ୍ରହ୍ମା କହିଛନ୍ତି । ଅକ୍ଟୋବର ପ୍ରଥମ ସପ୍ତାହରୁ ସମସ୍ତ ଟ୍ରେନ୍ ଚାଲିବା ସୂଚନା ରହିଛି ବୋଲି ଜଣାପଡିଛି ।
Related Stories
November 23, 2024