ଭୁବନେଶ୍ୱର– ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗ୍ରାହକଙ୍କ ଶୁଳ୍କ ରିହାତି ପ୍ରତ୍ୟାହାର ଓ ଶୁଳ୍କ ହାର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ପ୍ରତିବାଦରେ ସିପିଆଇର ଶତାଧିକ କର୍ମୀ ହାତରେ ପ୍ଲାକାର୍ଡମାନ ଧରି ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଅନ୍ୟ ରାଜ୍ୟରେ ବିଦ୍ୟୁତ ଦର କମ୍ ଥିବାବେଳେ ଓଡ଼ିଶା ଦର ବୃଦ୍ଧି କାହିଁକି; କରୋନା ମହାମାରୀ ସମୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କାହା ସ୍ୱାର୍ଥରେ; ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଏ ଅନୁକମ୍ପା କାହିଁକି; ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଗ୍ରାହକଙ୍କ ପାଇଁ ଷଡ଼ଯନ୍ତ୍ର; ଲକ୍ଷ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଲଦି ଦିଆ ନ ଯାଉ ଆଦି ଦାବିରେ ସିପିଆଇ ଜୋନ ସମ୍ପାଦକ ସୁର ଜେନା କରୋନା ମହାମାରୀ ବେଳେ କୃଷକ, ଶ୍ରମିକ ଏବଂ ବିଦ୍ୟୁତ୍ ଉପଭୋକ୍ତା ବଂଚିବା ପାଇଁ ରାହା ଖୋଜୁଥିବାବେଳେ ଏହି ଦୟନିୟ ପରିସ୍ଥିତିରେ ବିଦ୍ୟୁତ୍ ଶୁଳ୍କ ଛାଡ଼ ପାଇଁ ଦାବି କରୁଥିବାବେଳେ ରାଜ୍ୟ ସରକାର ଅତ୍ୟନ୍ତ ତରବରିଆ ଭାବରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ । ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବନ୍ଦ କରା ନ ଯାଏ ତାହାହେଲେ ଆଗାମୀଦିନରେ ଯେଉଁ ଆନ୍ଦୋଳନ ହେବ ସେଥିପ୍ରତି ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, ଲୋକନାଥ ଭୋଇ, ସୁଷମା ଭୋଇ, ଛେତମ୍ବର ଭୋଇ, ପଂଚାନନ ସାହୁ, ଶିବ ବେହେରା ଓ ଡାକ ହେମ୍ବ୍ରମ୍ ପ୍ରମୁଖ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ ।