ଭୁବନେଶ୍ୱର – ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୨୫ପ୍ଲାଟୁନ୍ ପୋଲିସ୍ ନିୟୋଜିତ ହେବେ । ବିଶେଷ କରି ସାମାଜିକ ଦୂରତା ପାଳନ ଉପରେ ବିଶେଷ ଧ୍ୟାନ ଦିଆଯିବ ।
ଆସନ୍ତାକାଲି (ମଙ୍ଗଳବାର)ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ସୋମବାର ଦିନ ଡିଜିପି ମହାତ୍ମା ଗାନ୍ଧୀ ମାର୍ଗ ଠାରୁ ବିଧାନସଭା ପର୍ଯ୍ୟନ୍ତ ସୁରକ୍ଷା ସ୍ଥିତି ପରଖିଛନ୍ତି । ଡିଜିଙ୍କ ସହ ଏଡିଜି ଆଇନ୍ ଶୃଙ୍ଖଳା ଏବଂ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ମଧ୍ୟ ବିଧାନସଭା ପରିସର ବୁଲି ଦେଖିଥିଲେ ।
ସ୍ଥିତି ସମୀକ୍ଷା ପରେ ଡିଜିପି କହିଛନ୍ତି ଯେ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ୩ ଟି ଦିଗ ରହିଛି । ବିଧାନସଭା ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଗୁଇନ୍ଦା ନିର୍ଦ୍ଦେଶକ ନିରୀକ୍ଷଣ କରନ୍ତି ଏବଂ ଗୁଇନ୍ଦା ବିଭାଗର ସୁରକ୍ଷା କର୍ମୀ ମାନେ ନିୟୋଜିତ ହୋଇଥାନ୍ତି । ବିଧାନସଭା ବିଲ୍ଡିଂ ବାହାରର ସୁରକ୍ଷା ଦାୟିତ୍ୱରେ କମିଶନରେଟ୍ ପୋଲିସ୍ ରହିଛି । ସୁରକ୍ଷା ବ୍ୟବସ୍ଥା ଉପରେ ଡିଜି ସନ୍ତୋଷ ପ୍ରକାଶ କରିବା ସହ ଚଳିତ ଅଧିବେଶନ ଶୃଙ୍ଖଳିତ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ସେହିପରି ପୋଲିସ୍ କମିଶନର କହିଛନ୍ତି ଯେ ବିଧାନସଭା ସୁରକ୍ଷା ,ଦାୟିତ୍ୱରେ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ରହିଛନ୍ତି । ଅଧିବେଶନ ସମୟରେ ଧାରଣା ଓ ବିକ୍ଷୋଭ ବିକ୍ଷୋଭ ପାଇଁ ବନ୍ଦୋବସ୍ତ କରାଯାଇଛି । ସବୁକିଛି ସୁରୁଖୁରୁରେ ଯିବ ବୋଲି ଚିନ୍ତା କରିଛୁ । ବର୍ତମାନ ପର୍ଯ୍ୟନ୍ତ ଧାରଣା ସମ୍ପର୍କରେ କୌଣସି ଆବେଦନ କରାଯାଇନାହିଁ । ଆବେଦନ ମିଳିବା ପରେ ସରକାରଙ୍କ କୋଭିଡ୍ ନିୟମାବଳୀ ଅନୁଯାୟୀ ନିଷ୍ପତି ନିଆଯିବ । କେହି ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି ।