
-
ଓଡ଼ିଶା ସଡ଼କ ପଥରେ’ ଆରମ୍ଭ ମନ ମୋହିଲା ସୁପର ମୋଟର ବାଇକ ରାଲି
ଭୁବନେଶ୍ୱର– ଆଜି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସୁପର ବାଇକ ରାଲିର ଆୟୋଜନ କରାଯାଇଥିଲା । ଏହାକୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଇନ୍ଫୋସିଟି ପରିସରରୁ ବାହାରି ୨୫ କିମି ଦୂରସ୍ଥିତ ଧଉଳି ଶାନ୍ତିସ୍ତୂପଠାରେ ଶେଷ ହୋଇଥିଲା । ଏଥିରେ ୯ଟି ସୁପର ବାଇକ୍ ଗ୍ରୁପ୍ର ୮୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ବିଶ୍ୱ ପର୍ଯ୍ୟଟନ ଦିବସର ବାର୍ତା ନେଇ ଯାଇଥିବା ଏହି ରାଲିକୁ ଧଉଳି ଶାନ୍ତିସ୍ତୂପଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସେଠାରେ ଆୟୋଜିତ ସମାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତତ୍ତ ବାର୍ତା ପ୍ରଦାନ କରାଯାଇଥିଲା । ବାର୍ତାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପର୍ଯ୍ୟଟନର ଦ୍ୱାର ଉନ୍ମୁକ୍ତ ହେବା ଓ ସମସ୍ତଙ୍କୁ ଓଡ଼ିଶା ଭ୍ରମଣ କରିବା ପାଇଁ ସ୍ୱାଗତ ଜଣାଇଥିଲେ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପର୍ଯ୍ୟଟକମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ତାଙ୍କ ବାର୍ତାରେ କହିଥିଲେ । ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ପ୍ରାକୃତିକ ପରିବେଶଭିତିକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ପର୍ଯ୍ୟଟକମାନଙ୍କୁ ବହୁଳ ଭାବେ ଆକୃଷ୍ଟ କରିପାରିଛି । ବିଗତ ପାଂଚ ବର୍ଷ ମଧ୍ୟରେ ଏଗୁଡ଼ିକ ସ୍ଥାନୀୟ ସମୁଦାୟ ଦ୍ୱାରା ପରିଚାଳିତ ହୋଇ ବେଶ୍ ପରିଚିତି ଲାଭ କରିବା ସହ ଆଦୃତି ଲାଭ କରିଛି, ଯାହା ବିଶ୍ୱ ପର୍ଯ୍ୟଟନ ଦିବସର ବାର୍ତା ‘ଗ୍ରାମ୍ୟ ପର୍ଯ୍ୟଟନର ପୁନଃଜାଗରଣ’କୁ ସୂଚାଉଛି । ଏହି ଉତ୍ସବରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଲେ ଯେ ପର୍ଯ୍ୟଟନ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ନୂତନ ପଦକ୍ଷେପ ଓ ଯୋଜନା, ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ବିକାଶ ତଥା ପ୍ରଚାରପ୍ରସାର ନିମନ୍ତେ ସାହାଯ୍ୟ କରିବ । ପର୍ଯ୍ୟଟକମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ସହ ପର୍ଯ୍ୟଟନର ପୁନରୁଦ୍ଧାର ଉପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଆ ଖାଦ୍ୟର ବହୁଳ ଭାବରେ ପ୍ରସାର ଓ ସଂସ୍କୃତିର ପ୍ରଚାର ଦିଗରେ ନିଆଯାଉଥିବା ପଦକ୍ଷେପ ବିଷୟରେ ମନ୍ତ୍ରୀ କହିବା ସହ ନୂତନ ଭାବରେ ଆୟୋଜିତ କରାଯାଇଥିବା ‘ଓଡ଼ିଶା ସଡ଼କ ପଥରେ’ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ । ‘ଓଡ଼ିଶା ସଡ଼କ ପଥରେ’ ଏଭଳି ଏକ ଅଭିନବ ପର୍ଯ୍ୟଟନ ଅଭିଯାନ କଳିଙ୍ଗ ମୋଟର ବାଇକ୍ ଚାଳକ ଓ ସୁପର ବାଇକ୍ ରାଲି ମାଧ୍ୟମରେ ଆରମ୍ଭ କରାଯାଇଛି ଯାହାଦ୍ୱାରା ଓଡ଼ିଶାର ରୋଡ୍ ନେଟ୍ୱାର୍କର ସଦୁପଯୋଗ କରି ପର୍ଯ୍ୟଟକମାନେ ବିଭିନ୍ନ ପ୍ରାକୃତିକ ତଥା ପର୍ଯ୍ୟଟନ ସ୍ଥଳୀର ଉପଭୋଗ କରିପାରିବେ । ଏଥି ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ନିଗମ ଦ୍ୱାରା ପରିଚାଳିତ ହୋଟେଲ୍ ତଥା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଭ୍ରମଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସଡ଼କ ପଥ ଭ୍ରମଣ ଦ୍ୱାରା ସ୍ଥାନୀୟ ଅଂଚଳର ବିକାଶ ସହ ଆମର ଅର୍ଥନୀତିର ବିକାଶ ଦିଗରେ ସହାୟକ ହେବ । ପୁନଶ୍ଚ, ଏହି ସଡ଼କ ପଥ ଅଭିଯାନ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ ନିଗମ ‘ବଣଭୋଜି’ ନାମରେ ଏକ ପର୍ଯ୍ୟଟନ ପ୍ୟାକେଜ୍ ପର୍ଯ୍ୟଟକମାନଙ୍କ ଭ୍ରମଣର ସୁବ୍ୟବସ୍ଥା ନିମନ୍ତେ ଆରମ୍ଭ କରିଛନ୍ତି । ଏହି ଅବସରରେ ଓଡ଼ିଶାର ବ୍ୟଞ୍ଜନ ତଥା ଆଦୃତ ହୋଇଥିବା ଖାଦ୍ୟର ପ୍ରଚାରପ୍ରସାର ନିମନ୍ତେ ‘ନିମନ୍ତ୍ରଣ’ ନାମରେ କେତେଗୁଡ଼ିଏ ରେଷ୍ଟୁରାଂଟର ଆରମ୍ଭ କରାଯାଇଛି । ଓଡ଼ିଶା ପର୍ଯ୍ୟଟନ ନିଗମର ଏହି ପ୍ରୟାସ ଦ୍ୱାରା ପର୍ଯ୍ୟଟନର ପ୍ରସାର ସହ ଓଡ଼ିଆ ଖାଦ୍ୟର ବିଭିନ୍ନତା ଓ ରୁଚି ପର୍ଯ୍ୟଟକମାନଙ୍କ ନିକଟରେ ପହଂଚିପାରିବ । ବର୍ତମାନ ‘ନିମନ୍ତ୍ରଣ’ ରେଷ୍ଟୁରାଂଟ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରରେ ଆରମ୍ଭ ହେବାକୁ ଯାଇଥିବା ସମୟରେ, ପର୍ଯ୍ୟାୟ କ୍ରମେ ଏହା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଖୋଲିବା ନିମନ୍ତେ ପ୍ରୟାସ କରାଯାଉଛି । ଏହି ଅବସରରେ ଫଟୋଗ୍ରାଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କର ନାମ ଘୋଷଣା କରାଯାଇଥିଲା । ଏହି ଉତ୍ସବରେ ବିଭାଗୀୟ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ଯାଦବ, ପିସିସିଏଫ୍ (ୱାଇଲ୍ଡ ଲାଇଫ୍), ସମସ୍ତ ବାଇକ ଆରୋହୀ, ନିମନ୍ତ୍ରିତ ଅତିଥି ଓ ପର୍ଯଟନ ବିଭାଗର ସମସ୍ତ ଅଧିକାରୀ ଯୋଗଦେଇଥିଲେ ।