
ବେଲଗୁଣ୍ଠା,ଶିବରାମ ଚୌଧୁରୀ – ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗଜିନ୍ଦ୍ରା ଏବଂ ଏକଡାଳ ଗ୍ରାମ ମଝିରେ ଥିବା ଶଙ୍କର ହୁଡା ନାଳରୁ ଏକ ଷାଠିଏ ବର୍ଷ ବଯସ୍କା ଭିନ୍ନକ୍ଷମ ବୃଦ୍ଧାଙ୍କ ଉଦ୍ଧାର କରି ଘଟଣା ସମ୍ପର୍କରେ ଜାଣିବା ପାଇଁ ବେଲଗୁଣ୍ଠା ଫାଣ୍ଡି ପୋଲିସ୍ ତଦନ୍ତ ଚଳାଇଛି I ସୂଚନା ପ୍ରକାରେ ଆଜି ସକାଳେ ଗଜିନ୍ଦ୍ରା ଏବଂ ଏକଡାଳ ଗ୍ରାମର କିଛି ଲୋକ ଜଣେ ବୃଦ୍ଧାଙ୍କ ଶବ ଶଙ୍କର ହୁଡା କେନାଲର ଏକ ଅମରୀ ଲଟାରେ ଭାସୁ ଥିବାର ଦେଖି ବେଲଗୁଣ୍ଠା ଫାଣ୍ଡିକୁ ଖବର ଦେଇଥିଲେ I ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସମେତ ଏଏସ୍ଆଇ କୃଷ୍ଣ ଚନ୍ଦ୍ର ସେଠୀ, ହାବିଲଦାର ବିଶ୍ଵାଳ ଏବଂ କନେଷ୍ଟବଳ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀର ସହଯୋଗରେ ବୃଦ୍ଧାଙ୍କ ଶବକୁ ଉଦ୍ଧାର କରିଥିଲେ I ଶବ ଉଦ୍ଧାର ପରେ ଗଜିନ୍ଦ୍ରା ଗ୍ରାମବାସୀ ଶବଟି ସେହି ଗ୍ରାମର କନ୍ଧୁଣୀ ଡ଼ାକୁଆ (60) ବୋଲି ଚିହ୍ନଟ କରିଥିଲେ I ଖବର ନେବାରେ ଜଣା ଯାଇଛି ଯେ ମୃତ କନ୍ଧୁଣୀ ସ୍ଵାମୀଙ୍କ ସହ ମତାନ୍ତର ହେବାରୁ ନିଜର ଏକମାତ୍ର ମାନସିକ ବିକୃତ 35 ବର୍ଷ ବୟସ୍କ ପୁଅକୁ ଧରି ଗଜିନ୍ଦ୍ରା ଗ୍ରାମରେ ରହି ଆସୁଥିଲା I ବୁଢି ଭିନ୍ନକ୍ଷମ ହେଲେ ମଧ୍ୟ ଦୁଃଖ କଷ୍ଟରେ ନିଜର ମାନସିକ ବିକୃତ ପୁଅକୁ ପ୍ରତି ପୋଷଣ କରୁଥିଲା I ଗତ କାଲି ରାତିରେ ପୁଅକୁ ଖୁଆଇ ପିଆଇ ଔଷଧ ଖାଇବାକୁ ଦେଇଥିଲା I ଆଜି ସକାଳେ ବୁଢିର ଶବ ଉଦ୍ଧାର ହେବା ପରେ ମଧ୍ୟ ତା ପୁଅ ତାକୁ ନିଦରୁ ଉଠାଇବା ଭଳି ଡାକୁଥିବାର ଦେଖାଯାଇଥିଲା I ଶବକୁ ଉଦ୍ଧାର କରି ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇଦେଇଥିବା ଜଣା ପଡ଼ିଛି I ଏହା ସହ କେନାଲରେ ଶବ ଭାସୁ ଥିବା ସ୍ଥାନର କିଛି ପାଣି ଏବଂ ଶବ ବ୍ୟବଚ୍ଛେଦ ହେବା ପରେ ଭିସେରା ରିପୋର୍ଟ୍ କୁ ପରୀକ୍ଷା ପାଇଁ ଭୁବନେଶ୍ଵରର ରସୁଲଗଡ ସ୍ଥିତ ଏସଏଫ୍ଏସ୍ଏଲ୍ ବିଜ୍ଞାନଗାରକୁ ପରୀକ୍ଷା ପାଇଁ ପଠାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ସେଠାରୁ ରିପୋର୍ଟ୍ ଆସିଲା ପରେ ବୁଢି ଆତ୍ମହତ୍ୟା କରିଛି କି ତାକୁ ହତ୍ୟା କରାଯାଇ ସେଠାରେ ଫୋପାଡ଼ି ଦିଆଯାଇଛି ତାହା ଜଣା ପଡ଼ିବ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ I