ଗାଙ୍ଗପୁର – ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସମୟରେ ଲକ୍ ଡ଼ାଉନ୍ ର ସୁଯୋଗ ନେଇ ଗାଆଁ ଗାଆଁରେ ଜୁଆ ଖେଳ ବେଶ୍ ଜମୁଥିଲା I କେତେ ଜୁଆଡି ମଧ୍ୟ ପୋଲିସ୍ ହାବୁଡରେ ପଡ଼ି ଗିରଫ ହୋଇଥିଲେ I ବର୍ତ୍ତମାନ ଜିଲ୍ଲାରେ କରୋନା ସଂକ୍ରମଣ ହାର କମି ଲକ୍ ଡାଉନ୍ ହଟିଥିଲେ ମଧ୍ୟ କିଛି ଗାଁରେ ଲୋକ ମାନେ କାମ ଧନ୍ଦାକୁ ନ ଯାଇ ଗ୍ରାମର ବିଭିନ୍ନ ସ୍ଥାନରେ ଜୁଆ ଖେଳରେ ମାତି ଯାଉଛନ୍ତି I ଯାହା ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ଆଜି ସନ୍ଧ୍ୟା 7 ଘଣ୍ଟା 30 ମିନିଟ୍ ସମୟରେ ବେଲଗୁଣ୍ଠା ଫାଣ୍ଡି ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ଗ୍ରାମର ପୋଖରୀ ହୁଡାରେ ଚାଲି ଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 10,250 ଟଙ୍କା, ଦୁଇଟି ମୋବାଇଲ୍ ଏବଂ ଦୁଇ ପ୍ୟାକେଟ୍ ତାସ୍ ଜବତ କରିଛି I ଗିରଫ ହୋଇଥିବା ଜୁଆଡି ମାନେ ହେଲେ ଇଙ୍ଗିନାଠି ଗ୍ରାମର ସନ୍ତୋଷ କୁମାର ପୋଲେଇ, ଗୌର ହରି ନାଇକ, ମହେନ୍ଦ୍ର ନାଇକ, ଅକ୍ଷୟ ନାୟକ ଏବଂ ସାରିଆ ପଲ୍ଲୀ ଗ୍ରାମର ନେତାଜୀ ରାଉତ I ସମସ୍ତ ଜୁଆଡିଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ କେସ୍ ନମ୍ବର 519/20 ରେ ଏକ ମାମଲା ରୁଜୁ କରାଯାଇଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି I ଆଗକୁ କୁମାର ପୂର୍ଣ୍ଣିମା ଆସୁଥିବାରୁ ଆଗାମୀ ଦିନରେ ଜୁଆ ଖେଳର ମାତ୍ରା ବଢ଼ି ପାରେ ବୋଲି ଆଶଙ୍କା କରାଯାଉଛି I ଏନେଇ ଫାଣ୍ଡି ଅଧିକାରୀ ଶ୍ରୀ ସାହୁଙ୍କ ସହ ଯୋଗଯୋଗ କରିବାରୁ ଆସନ୍ତା ଦିନରେ ପେଟ୍ରୋଲିଂ କଡ଼ାକଡି କରାଯିବା ସହ ଜୁଆଡିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି I
Related Stories
November 28, 2024
November 28, 2024