

ଭୁବନେଶ୍ୱର – ସୈନିକ ସ୍କୁଲର ୫୮ତମ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଚଳିତ ଅକ୍ଟୋବର ୩ ତାରିଖରେ ସ୍କୁଲର ଗାନ୍ଧୀ ଷ୍ଟାଡ଼ିୟମଠାରେ ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବରେ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀ ଏୟାର ମାର୍ସାଲ ଜ୍ୟୋର୍ତି ନାରାୟଣ ବର୍ମା ପି.ଭି.ଏସ୍.ଏମ., ଏଭି.ଏସ୍.ଏମ୍, ଭି.ଏସ୍.ଏମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସୈନିକ ସ୍କୁଲ ଭୁବନେଶ୍ୱରର ଏହି ପୁରାତନ ଛାତ୍ରଙ୍କର ଉପସ୍ଥିତ କ୍ୟାଡେଟ ମାନଙ୍କ ପାଇଁ ଏକପ୍ରେରଣାର ଉତ୍ସ ଥିଲା । ସ୍କୁଲର ଅଧ୍ୟକ୍ଷ ଗ୍ରୁପ କ୍ୟାପ୍ଟେନ (ବାୟୁସେନା) ଡୋମିନିକ ରାୟନ ମୁଖ୍ୟ ଅତିଥିଙ୍କୁ ନିଜ ଭାଷଣରେ ସ୍ୱାଗତ କରିଥିଲେ । କ୍ୟାଡେଟମାନଙ୍କୁ ଉଦ୍ବୋଧନ ଦେବାକୁ ଯାଇ ଏୟାର ମାର୍ସାଲ ବର୍ମା ସୈନିକସ୍କୁଲ ଶିକ୍ଷାର୍ଥୀ ମାନଙ୍କର ଖେଳକୁଦରେ ସକ୍ରିୟ ଅଂଶ ଗ୍ରହଣ ଓ କୃତିତ୍ୱର ଭୂୟସୀ ପ୍ରଶଂସା କରିଥିଲେ । ସେ ସେମାନଙ୍କୁ ଉପଦେଶ ଦେଇ ଖେଳକୁଦରେ ଆହୁରି ଅଧିକ ଉନ୍ନତି କରି ନିଜ ବିଦ୍ୟାଳୟ, ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାକୁ କହିଥିଲେ । ପ୍ରତିଯୋଗିତାର ବରିଷ୍ଠ ବିଭାଗରେ କ୍ୟାଡେଟ ରବି କୁମାର (ସିନିୟର) ଓ କନିଷ୍ଠ ବିଭାଗରେକ୍ୟାଡେଟ ରବି କୁମାର (ଜୁନିୟର) ଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଥିଲେ ।

ବରିଷ୍ଠ ଛାତ୍ରାବାସ ଗୁଡ଼ିକ ମଧ୍ୟରୁ ମାନେକ୍ସା ହାଉସ ଚମ୍ପିୟାନ ଆଖ୍ୟା ଲାଭ କରିଥିବା ବେଳେ କଟାରୀ ହାଉସ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା କନିଷ୍ଠ ଛାତ୍ରାବାସ ଗୁଡ଼ିକ ମଧ୍ୟରେ ଅର୍ଜ୍ଜନ ହାଉସ ପ୍ରଥମ ସ୍ଥାନ ଓ କରିଅପ୍ପା ଏବଂ କଟାରୀ ହାଉସ୍ ମିଳିତ ଭାବେ ଦ୍ୱିତୀୟ ସ୍ଥାନ ଲାଭ କରିଥିଲା । ଏହି ଉଦ୍ଯାପନୀ ଉତ୍ସବରେ ୧୧ଟି ଛାତ୍ରାବାସ ମଧ୍ୟରୁ ୬୦୦ ରୁ ଉଦ୍ଧ୍ୱର୍ କ୍ୟାଡେଟ ଅଂଶଗ୍ରହଣ କରିବା ସହ ଏକ ବର୍ଣ୍ଣାଡ୍ୟ ସାମୂହିକ କ୍ରୀଡ଼ାକୌଶଳ, କରାଟେ, ପିରାମିଡ଼, ଯୋଗ, ଏରୋବିକ୍, ବ୍ୟାଣ୍ଡ, ଫ୍ୟାନଫେୟାର ଏବଂ ବିଟିଙ୍ଗ୍ ଦି ରିଟ୍ରେଟ୍ ପ୍ରଦର୍ଶନ କରାଯାଇଥିଲା ।

ଗତ ଅକ୍ଟୋବର ୧ ତାରିଖ ଦିନ ପୁରାତନ ଛାତ୍ର ଶ୍ରୀ ମଧୁସୂଦନ ପାଢ଼ି ଆଇ.ଏ.ଏସ୍. ଯେ କି ବର୍ତ୍ତମାନ ମାନ୍ୟବର ରାଜ୍ୟପାଳ, ଓଡ଼ିଶାଙ୍କ ପ୍ରିସିନ୍ପାଲ ସେକ୍ରେଟାରୀ ଭାବେ ଏହି ପ୍ରତିଯୋଗୀତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଉତ୍ସବକୁ ସ୍କୁଲର ଉପାଧ୍ୟକ୍ଷ ଉଇଙ୍ଗ୍ କମାଣ୍ଡର ଅମିତାଭ ରଞ୍ଜନଙ୍କ ତତ୍ୱ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ଏବଂ ସ୍କୁଲର ପ୍ରଶାସନିକା ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା ସମସ୍ତ ବ୍ୟବସ୍ଥା କରିଥିଲେ । ଉତ୍ସବର ସଂଯୋଜନା କରିଥିଲେ ବରିଷ୍ଠ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ ଓ ସି.ଏଚ.ଏମ ଅଜିତ୍ କୁମାର । ପରିଶେଷରେ ଉଇଙ୍ଗ୍ କମାଣ୍ଡର ଅମିତାଭ ରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ ।