ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୪୦ କୁ ବୃଦ୍ଧି ପାଇଛି । ୮୧୫ ନମୂନା ସଂଗ୍ରହ ପରେ ର୍ୟାପିଡ଼୍ ଆଂଟିଜେନ ଓ ଆରଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ଏହି ପରୀକ୍ଷାରୁ ୮ଟି ରିପୋର୍ଟ ପଜିଟିଭ୍ ଆସିଥିଲା । ଅନ୍ୟ ୫ ଜଣ ଜିଲ୍ଲା ବାହାରେ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ନୂଆ ଚିହ୍ନଟ ଏହି ୧୩ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୪ ଜଣ ମହିଳା ରହିଛନ୍ତି । ଅନ୍ୟ ୩ ଜଣ ଜିଲ୍ଲା ବାହାରେ ହସ୍ପିଟାଲରେ ରହିଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ରହିଛି । ଏମାନଙ୍କର ବୟସ ୪ ବର୍ଷରୁ ୫୦ ବର୍ଷ ମଧ୍ୟରେ ରହିଛି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକରୁ ଜଣେ, ଆର୍. ଉଦୟଗିରି ବ୍ଲକରୁ ୫ ଜଣ, ନୂଆଗଡ଼ ବ୍ଲକରୁ ଜଣେ, ରାୟଗଡ଼ ବ୍ଲକରୁ ୩ ଜଣ ଏବଂ ଜିଲ୍ଲା ବାହାରେ ହସ୍ପିଟାଲରେ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜିଲ୍ଲା ବାହାରେ ଅନ୍ୟ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।