ଗଞ୍ଜାମ– ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଜଣେ ଯୁବକଙ୍କୁ ପଥର ଓ ଇଟା ସାହାଯ୍ୟରେ ଛେଚି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଗତକାଲି ରାତିରେ ବ୍ରହ୍ମପୁର ସହରର ରାଧାକୃଷ୍ଣ ସାହିରେ ସ୍ଥିତ ରାଧାକୃଷ୍ଣ ମନ୍ଦିରର ରୋଷେଇ ଘର ବାରଣ୍ଡାରେ କାଳିଆ ସାହୁ ନାମକ ଏହି ଯୁବକ ଶୋଇଥିବା ବେଳେ କେତେକ ଦୁର୍ବୃତ ତାଙ୍କ ମୁଣ୍ଡ ଓ ଶରୀରର ଅନ୍ୟାନ୍ୟ ସ୍ଥାନକୁ ପଥର ଓ ଇଟାରେ ଛେଚି ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଛନ୍ତି । ମନ୍ଦିରର ରାତ୍ର ଜଗୁଆଳୀ ନାରାୟଣ ସାହୁ ବିଳମ୍ବିତ ରାତିରେ ମନ୍ଦିର ଭିତରକୁ ଯାଇ ଯୁବକଙ୍କ ଶବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ପଡିଥିବା ଦେଖିବାକୁ ପାଇଥିଲେ । ସେ ଏନେଇ ତୁରନ୍ତ ମନ୍ଦିର ଟ୍ରଷ୍ଟିଙ୍କୁ ଜଣାଇଥିଲେ । ଆଜି ସକାଳେ ବଡ଼ ବଜାର ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ବଡ଼ ବଜାର ଥାନା ପୋଲିସ ସାଇଂଟିଫିକ୍ ସହିତ ଘଟଣାସ୍ଥଳରେ ପହଂଚି ହତ୍ୟାକାଣ୍ଡର ଛାନଭିନ୍ ଆରମ୍ଭ କରିଛି । ଅଦ୍ୟାବଧି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ସୁଦ୍ଧା ଗତକାଲି ରାତିରେ କାଳିଆ କେତେକ ଯୁବକଙ୍କ ସହିତ ଗଞ୍ଜେଇ ଟାଣିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ଓ ପାଟିତୁଣ୍ଡ ହୋଇଥିଲା । ଏହାପରେ କାଳିଆ ମନ୍ଦିର ପାଚେରୀ ଡ଼େଇଁ ମନ୍ଦିର ଭିତରେ ଥିବା ରୋଷେଇ ଘର ବାରଣ୍ଡାରେ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ କିଛି ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି । ମୃତ ଯୁବକଙ୍କ ନିକଟରୁ କିଛି ଲୁଗାପଟା ସହିତ ଏକ ଗଞ୍ଜେଇ ଚିଲମକୁ ପୋଲିସ ଜବତ କରିଛି । ମୃତଦେହ ନିକଟରେ ଇଟା ପଥର ପଡିଥିବା ପୋଲିସ ଦେଖିବାକୁ ପାଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି । ବଡ଼ ବଜାର ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।
Related Stories
November 23, 2024