ଭୁବନେଶ୍ୱର– ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ୍ ଅଲ୍ଲୀଙ୍କ ପରଲୋକରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତାରେ ଡ. ପାତ୍ର କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ଦଳର ବରିଷ୍ଠ ନେତା ଭାବେ ସ୍ୱର୍ଗତ ଅଲ୍ଲୀଙ୍କ କାର୍ଯ୍ୟଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ଯୁବାବସ୍ଥାରୁ ସେ ଅନେକ ସଂଗଠନ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ଜଣେ ନିଷ୍ଠାପର ରାଜନେତା, ଦରଦୀ ମଣିଷ ଓ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଭାବେ ସେ ଜନମାନସରେ ସର୍ବଦା ଜୀବିତ ରହିବେ । ଏକାଧିକବାର ବିଧାୟକ ଭାବେ ନିର୍ବାଚିତ ହେବା ତାଙ୍କ ଲୋକପ୍ରିୟତାର ପରିଚୟ ଦିଏ । ତାଙ୍କର ନୀତି ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।
ବାଚସ୍ପତି ଡ. ପାତ୍ର ଦିବଂଗତ ନେତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଆନ୍ତରିକ ସମବେଦନା ଜଣାଇଛନ୍ତି ।