ରାଉରକେଲା– ସୁନ୍ଦରଗଡ ଜିଲ୍ଲାରେ ବଡ ବଡ ଡାକ୍ତରଖାନା, ହୋଟେଲ, ମଲ୍ ଗୁଡିକରେ ବର୍ତମାନ ସୁଦ୍ଧା ଫାୟାର ସେଫ୍ଟି ବ୍ୟବସ୍ଥା କରାଯାଇ ପାରିନଥିବା ବେଳେ,ଏହି ବିଭାଗର ଅଧିକାରୀ ମାନଙ୍କର ଏସବୁ ର ତଦାରଖ କରିବା ଲାଗି ସମୟ ହେଉନଥିବା ଖବରମିଳିଛି । ଏଭଳି ପରିପେକ୍ଷିରେ ଜିଲ୍ଲାରେ ଏକ ମାତ୍ର ଡାକ୍ତରଖାନା ଫାୟାର ସେଫ୍ଟିର ସୁବିଧା କରିଥିବା ବେଳେ, ଅନ୍ୟମାନେ ହାତ ବାନ୍ଧି ନୀରବ ହୋଇ ବସିଥିବା କଥାକୁ ଅଗ୍ନିଶମ ବିଭାଗର ରାଉରକେଲା ମୁଖ୍ୟ ବିନୋଦ ସିଂ ଷ୍ପଷ୍ଟ କରିପାରିନାହାନ୍ତି । ଯେତେବେଳେ କିଛି ଦୁର୍ଘଟଣା ହୁଏ ସେତେବେଳେ ଆମ ସରକାର ଓ ବ୍ୟବସ୍ଥା ଚେତି ଉଠେ । ଠିକ୍ ସେହି ଭଳି ନିକଟରେ କଟକରେ ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ହେବା ପରେ ରାଉରକେଲାରେ ଲୋକେ ବି଼ଭିନ୍ନ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ସେହି ସବୁ ପ୍ରଶ୍ନକୁ ଆଧାର କରି ଯାଂଚ୍ କରିବାରୁ ଜଣାପଡିଛି ଯେ, ଜିଲ୍ଲାର ଏକ ନମ୍ବର ଡାକ୍ତରଖାନା କୁହାଯାଉଥିବା ଇସ୍ପାତ ଜେନେରାଲ ହସପିଟାଲରେ ଦିର୍ଘ ବର୍ଷ ହେଲା ଅଗ୍ନିଶମ ବ୍ୟବସ୍ଥା ନାହିଁ । ଠିକ୍ ସେହିଭଳି ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନା, ରାଉରକେଲା ଆରଜିଏଚରେ ମଧ୍ୟ ଏଯାଏ ଅଗ୍ନିଶମ ବିଭାଗ ଠାରୁ ଏହି ସାର୍ଟିଫିକେଟ ମିଳି ପାରିନାହିଁ । ଏତ ଗଲା ସରକାରୀ ୩ ବଡ ଡାକ୍ତରଖାନା କଥା, ଜିଲ୍ଲାରେ ଅନେକ ବଡ ବଡ ବେସରକାରୀ ଡାକ୍ତରଖାନା ମଧ୍ୟ ରହିଛି ସେମାନେ ବିନା ଅଗ୍ନିସମ ବ୍ୟବସ୍ଥାରେ ତାଙ୍କ କାମ ଚଳାଇଥିଲେ ବି ଏହି ବିଭାଗର ବାବୁ ମାନଙ୍କର ସମୟ ହେଉନି ଏସବୁକୁ ଦେଖିବା ଲାଗି, ଯାଂଚ୍ କରିବା ଲାଗି ।
ଅନୁସନ୍ଧାନରୁ ଜଣାପଡିଛି ଯେ, ସର୍ବପୁରାତନ ଡାକ୍ତରଖାନା ଆଇଜିଏଚ (ଆରଏସପି ଅଧିନସ୍ଥ)ରେ ଦିର୍ଘ ବର୍ଷ ହେଲା ପୁରାତନ ଅଗ୍ନିଶମ ବ୍ୟବସ୍ଥାରେ କାମ ଚାଲିଥିଲା ଓ ସେମାନଙ୍କୁ ରାଜ୍ୟ ସରକାରଙ୍କ ଡିଏମଇଟି ଏ ନେଇ ଲାଇସେନ୍ସ ପ୍ରଦାନ କରିଥିଲେ । ତେବେ ୨୦୧୭ରେ ଏନେଇ ନୂଆ ନିୟମ ଆସିବା ପରେ ଆରଏସପି ପକ୍ଷରୁ ଏନେଇ ୫ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତୁତ କରାଜିବାକୁ ନିଷ୍ପତି ହୋଇଛି । ଏଥିଲାଗି ବଜେଟରେ ବ୍ୟବସ୍ଥା ମଧ୍ୟ ହୋଇଛି, କିନ୍ତୁ ଆମ ସରକାରୀ ଅଗ୍ନିଶମ ବାବୁ ମାନଙ୍କୁ ୩ ବର୍ଷ ହେଲା ସମୟ ହେଉନି ସେମାନେ ଟିକେ ଆଇଜିଏଚକୁ ଯାଇ ବୁଲି ସେମାନଙ୍କୁ ପରାମର୍ଶ ଦେଇ ପାରୁ ନାହାନ୍ତି କି କାମ ଆରମ୍ଭ ହୋଇ ପାରୁନାହିଁ ବୋଲି ଖବର ମିଳିଛି । ଅନୁରୂପ ଭାବେ ସୁନ୍ଦରଗଡ ସିଡିଏମଓଙ୍କ କହିବା କଥା, ସୁନ୍ଦରଗଡରେ ଥିବା ପୁରୁଣା ଡାକ୍ତରଖାନାରେ ସମସ୍ତ ଅଗ୍ନିଶମ ବ୍ୟବସ୍ଥା ହୋଇଛି କିନ୍ତୁ ବିଭାଗୀୟ ବାବୁ ମାନେ ଆସି ଦେଖି ନାହାନ୍ତି, ଠିକ ସେହିଭଳି ନୂଆ ବିଲ୍ଡିଂ ରେ କାମ ଚାଲିଛି, ତାକୁ ମଧ୍ୟ ବାବୁ ମାନେ ଆସି ଦେଖି ପାରିନାହାନ୍ତି । ଠିକ ସେହିଭଳି ରାଉରକେଲା ସରକାରୀ ଡାକ୍ତରଖାନାରେ ମଧ୍ୟ ସମସ୍ତ ଅଗ୍ନିଶମ ସରଞ୍ଜାମ ଲାଗି ସାରିଛି, କାମ ମଧ୍ୟ ଚାଲିଛି କିନ୍ତୁ ଅଗ୍ନିଶମ ବିଭାଗର ବାବୁ ମାନେ ତାଙ୍କ ଅଫିସରୁ ମାତ୍ର ୭ କିଲୋମିଟର ଦୂର ଯାଏ ଆସି ଏସବୁ ଦେଖି ପାରିନାହାନ୍ତି ଓ ସେହି କାମକୁ ସରକାରୀ ବିଭାଗୀୟ ମୋହର ମାରି ନାହାନ୍ତି ବୋଲି ଡାଇରେକ୍ଟର କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଏହି ସରକାରୀ ଡାକ୍ତରଖାନାର ୱାନ ଷ୍ଟପ ଓାର୍ଡରେ ୫ ଲକ୍ଷ ୬୪୦୦୦, ଫାର ଫ୍ଲୋର ଇଣ୍ଡୋରରେ ୫ ଲକ୍ଷ ୬୪ ହଜାର, ପୋଷ୍ଟ ନେଟାଲ ୱାର୍ଡରେ ୫ ଲକ୍ଷ ୫୯ ହଜାର, ଫିମେଲ ୱାର୍ଡ ଇଣ୍ଡୋରରେ ୫ ଲକ୍ଷ ୨୩ ହଜାର, ମେଲ ଇଣ୍ଡୋର ୱାର୍ଡରେ ୫ ଲକ୍ଷ ୫୬ ହଜାର, ମେଜର ଓଟିରେ ୫ ଲକ୍ଷ ୧ ହଜାର ଓ ଗାଇନିକ ଇଣ୍ଡୋରେ ୫ ଲକ୍ଷ ୬୪ ହଜାର ଟଙ୍କା ଅଗ୍ନିଶମ ବ୍ୟବସ୍ଥା ଲାଗି ଖର୍ଚ୍ଚ ହୋଇଛି । ମୋଟ ଉପରେ ଏଠାରେ ୩୮ ଲକ୍ଷ ଟଙ୍କା ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଛି ବୋଲି କଂଗ୍ରେସ ନେତା ରଶ୍ମିରଂଜନ ପାଢୀ କହିଛନ୍ତି । ଯଦି ଏତେ ଟଙ୍କା ଖର୍ଚ୍ଚ ହେଲା ତେବେ ଏଯାଏ ଏମାନଙ୍କୁ ଅଗ୍ନିଶମ ବିଭାଗ କାହିଁକି ଗ୍ରହଣ କରୁନାହିଁ ତାର ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି । ଏହାଦ୍ୱାରା ଜିଲ୍ଲାର ୩ ବଡ ଡାକ୍ତରଖାନରେ ଅଗ୍ନିଶମ ବ୍ୟବସ୍ଥା ନାହିଁ ବୋଲି କୁହାଯାଇପାରେ । ଠିକ୍ ସେହିଭଳି ଜିଲ୍ଲାରେ ୧୫ରୁ ଅଧିକ ବଡ ଡାକ୍ତରଖାନା ଓ ବଡ ବଡ ହୋଟେଲରେ ମଧ୍ୟ ସେହି ଅବସ୍ଥା । ଏମାନେ ପ୍ରାୟ କେହି ଅଗ୍ନିଶମ ବ୍ୟବସ୍ଥା କରିପାରି ନଥିବା ଖବର ମିଳିଛି । ରାଉରକେଲାର ସିଭିଲ ଟାଉନରେ ଥିବା ଓମ ଆପୋଲୋ ଡାକ୍ତରଖାନାରେ କିଛି ବର୍ଷ ତଳେ ଅଗ୍ନିକାଣ୍ଡ ଘଟି ଜଣେ ଛୁଆର ମୃତ୍ୟୁ ହୋଇଥିଲା । ସେଠାରେ ମଧ୍ୟ ଏହି ସୁବିଧା ନଥିଲା । ସେତେବେଳେ ଜିଲ୍ଲାପାଳ, ଏସପି, ଅଗ୍ନିଶମ ବିଭାଗ ଏହି ଡାକ୍ତରଖାନାକୁ ସିଲ୍ କଲେ, କିଛି ଦିନ ପରେ ସେ ଡାକ୍ତରଖାନା ପୁଣି ଖୋଲିଲା ଓ ବିନା ଅଗ୍ନିଶମ ବ୍ୟବସ୍ଥାରେ ସମ୍ପ୍ରତି ଚାଲିଥିବାର ଖବର ମିଳିଛି । ତେବେ ଏତେ ସବୁ ପ୍ରଶ୍ନର ଉତର ଲାଗି ଅଗ୍ନିଶମ ବିଭାଗର ମୁଖ୍ୟ ବିନୋଦ ସିଂ ଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଲେ, ମୁଁ ସମ୍ବଲପୁର ରେଞ୍ଜ୍ ଦାୟିତ୍ୱରେ ଅଛି , ତା ଛଡା କୋଭିଡ୍ କାମରେ ମଧ୍ୟ ଅଛି, ତେଣୁ କିଛି ସମୟ ପରେ ସବୁ କହିବି । ତେବେ ସେକଥା ତ ଆମ ଆରଡିସି ମୋହଦୟଙ୍କୁ ନିଶ୍ଚୟ ଜଣାଥିବ ସେ ସେଠାରେ କେଉଁ ଦାୟିତ୍ୱରେ ଅଛନ୍ତି, କିନ୍ତୁ ତାଙ୍କୁ ଏହି ନ୍ୟୁଜ ଲେଖା ହେବା ଯାଏ ସମୟ ହେଲାନି କି ସେ ଉତର ରଖିପାରିଲେନି ।