ଖବରର ବିବରଣୀରୁ ପ୍ରକାଶ, ବାରିପଦା ପିଏ ଆଇଟିଡ଼ିଏ କାର୍ଯ୍ୟାଳୟ ପକ୍ଷରୁ ୨୦୧୭-୧୮ରେ ତତ୍କାଳୀନ ବାରିପଦା ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ସୁପାରିଶ କ୍ରମେ ସ୍ପେଶାଲ ପ୍ରୋବଲେମ୍ ଫାଣ୍ଡରେ ନାଉପାଳ ଗ୍ରାମ ପଚାଂୟତର ନରଣଖୁଂଟା ଗ୍ରାମର ରାଉତସାହିରେ ବିଶ୍ୱେଶର ନାଏକ ହାଉସଠାରୁ ଦୁଃଶାସନ ହାଉସ ପର୍ଯ୍ୟନ୍ତ ୫ ଲକ୍ଷ ବ୍ୟୟ ଅଟକଳରେ ୨୯୭ ଫୁଟର ସିସି ରୋଡ଼ ନିର୍ମାଣ ଏବଂ ୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଗାର୍ଡ଼ୱାଲ ସହ ଅନ୍ୟ ଏକ ଆପ୍ରୋଚରୋଡ଼ ନଦୀର ପୋଲଠାରୁ ବିଶ୍ୱେଶର ନାଏକଙ୍କ ଘର ଛକ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବିଭାଗୀୟ ଅନୁମୋଦନ ଲାଭ କରିଥିବା ବେଳେ କୌଣସି କାରଣ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା । ଗତ ୨୦୨୦ ଜୁଲାଇ ୧ ରେ ଏହି ଦୁଇ ରାସ୍ତାର ନିର୍ମାଣ କାର୍ଯ୍ୟକୁ ବାରିପଦା ପିଏ ଆଇଟିଡ଼ିଏ ନିଜେ ଆରମ୍ଭ କରି ଅତ୍ୟନ୍ତ ତରବରିଆ ଭାବେ ଶେଷ କରି ବିଲ ପାଶ କରାଇ ନେଇଛନ୍ତିି ।
କିନ୍ତୁ ପିଏ ଆଇଟିଡ଼ିଏ କାର୍ଯ୍ୟାଳୟ ପକ୍ଷରୁ ରାସ୍ତାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଏବଂ ପାଶ ହୋଇଥିବା ପ୍ଲାନ ଅନୁସାରେ ନିର୍ମାଣ ହୋଇ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ରାଉତସାହିର ସଞ୍ଜୁଲତା ନାଏକ, ସଂଯୁକ୍ତା ନାଏକ, ସବିତା ନାଏକ, ସୁଲୋଚନା ନାଏକ, ପ୍ରତିମା ନାଏକ, କୁଞ୍ଜଲତା ନାଏକ, ରାମଚନ୍ଦ୍ର ନାଏକ, ସନାତନ ନାଏକ, ଶରତଚନ୍ଦ୍ର ନାଏକ, କନ୍ଦର୍ପ ନାଏକ, କେଶା ଟୁଡ଼ୁ, ଶିବ ଶଙ୍କର ନାଏକ ଓ ସାନୁ ଟୁଡ଼ୁ ପ୍ରମୁଖ ସମସ୍ତ ଗ୍ରାମବାସୀ ବୃନ୍ଦ । ଗ୍ରାମର ଦୁଃଶାସନ ନାଏକଙ୍କ କହିବା ଅନୁସାରେ ପୁରୁଣା ରାସ୍ତା ଉପରେ ବାଲି ପକାଇ ତା ଉପରେ ଯେନତେନ ଭାବେ କଂକ୍ରିଟ ଢ଼ଳେଇ କରାଯାଇଛି । ସୂଚନା ଫଳକରେ ଗାର୍ଡ଼ ୱାଲର ନିର୍ମାଣ ଉଲ୍ଲେଖ ରହିଥିବା ବେଳେ ଏହା କରାଯାଇ ନାହିଁ । ପୁଣି ପାଣି ପାଶ କରିବା ନିମନ୍ତେ ହମ ପାଇପ ଲଗାଇବା ବଦଳରେ ଏକ ପ୍ଲାଷ୍ଟିକ ପାଇପ ଲଗାଇ ଦେଇଛନ୍ତି, ଯେଉଁଥିରେ ଠିକ୍ ଭାବେ ପାଣି ପାଶ କରୁ ନାହିଁ । ପାଣି ପାଶ କରିବା ପାଇଁ ମୁଖ୍ୟ ରାସ୍ତାରେ ଥିବା ପୁରୁଣା ଏକ ଛୋଟ ପୋଲକୁ ଭାଙ୍ଗିବା ବଦଳରେ ସେହି ପୁରୁଣା ପୋଲ ଉପରେ ରାସ୍ତା ନିର୍ମାଣ କରାଯାଇଛି । କଂକ୍ରିଟ ସମୟରେ ଅଳ୍ପ କେତେ ଫୁଟ ରଡ଼ ବାଇଣ୍ଡିଂ କରାଯାଇଥିବା ବେଳେ ଅବଶିଷ୍ଟ ସେହିପରି ଢ଼ଳେଇ ପକାଯାଇଛି । ପୁଣି ସୂଚନା ଫଳକରେ ବିଶ୍ୱେଶର ନାଏକ ହାଉସଠାରୁ ଦୁଃଶାସନ ହାଉସ ପର୍ଯ୍ୟନ୍ତ ୨୯୭ ଫୁଟ ଲମ୍ବର ସିସି ରୋଡ଼ ନିର୍ମାଣ କରାଯଇଥିବାର ଉଲ୍ଲେଖ କରାଯାଇଥିବା ବେଳେ ୧୬୪ ଫୁଟ ଲମ୍ବ ରାସ୍ତା ନିର୍ମାଣ କରାଯାଇ ପୁରା ୫ ଲକ୍ଷ ଟଙ୍କାର ବିଲ ପାଶ କରାଯାଇଛି । ଏଥି ସହିତ ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ସହ ସଂଯୋଗ ହୋଇ ନ ପାରି ଅଧାପନ୍ତରିଆ ଅବସ୍ଥାରେ ଖାଲଖମାରେ ରହିଯାଇଥିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ସମସ୍ତ ବିଷୟରେ ବାରିପଦା ପିଏ ଆଇଟିଏ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଓ ଜେଇଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତୁମର ମୁଣ୍ଡ ଶହେ ଦେଢ଼ ଶହ ଟଙ୍କାର ମଜୁରୀ, ତୁମେ ଆଦିବାସୀଗୁଡ଼ା ରାସ୍ତା ନିର୍ମାଣ ବିଷୟରେ ଜାଣିଛ କଣ କହି ଫେରାଇ ଦେଇଥିଲେ । ଅଭିଯୋଗ ପରେ ଠିକାଦାର ରାସ୍ତା କିପରି ଓ କେତେ ପରିମାଣରେ ନିର୍ମାଣ କରିଛି ସେ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ପୂର୍ବକ ନିରୀକ୍ଷଣ କରାନଯାଇ ବିଲ ପାଶ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଆଦିବାସୀମାନଙ୍କ ସାମାଜିକ, ଅର୍ଥନୀତିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଯୋଗାଇ ଦେଉଥିବା ବେଳେ ସରକାରୀ କଳ ନିର୍ମାଣକୁ ଢ଼ାଲ କରି ଅସାଧୁ ଉପାୟରେ ନିଜର ପେଟ ଫୁଲାଇବାରେ ଲାଗିଛନ୍ତି । ତେଣୁ, ଏହାର ଭିଜିଲାନ୍ସ ତଦନ୍ତ କରାଯାଇ ଅସାଧୁ ଦୁର୍ନୀତିଖୋର ସରକାରୀ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବାର ଦାବି କରିଛନ୍ତି ।
ସେହିପରି ପୂର୍ବତନ ସରପଚଂ ହରିହର ନାୟକ କହିଛନ୍ତି, ୧୦ ଲକ୍ଷ ଟଙ୍କାର କାର୍ଯ୍ୟ, କିନ୍ତୁ ୧୦ ପଇସା କାର୍ଯ୍ୟରେ ଆସୁ ନାହିଁ । ଆଦିବାସୀମାନଙ୍କ ନିମନ୍ତେ ଆସିଥିବା ଟଙ୍କାକୁ ଆଦିବାସୀଙ୍କ ବିକାଶ କରାଯିବା ନାମରେ ସିଧାସଳଖ ଭାବେ ସରକାରୀ କର୍ମଚାରୀମାନେ ଚଳୁ କରିଦେଇଛନ୍ତି । ରାଉତସାହିରେ ହୋଇଥିବା ୨ଟି ନିମ୍ନମାନର ରାସ୍ତାର ନିର୍ମାଣ କାର୍ଯ୍ୟକୁ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଯାଇଥିବା ବେଳେ ସେମାନେ ଆମର ଅଭିଯୋଗକୁ ଶୁଣିବା ପରିବର୍ତେ ଆମକୁ ଅପମାନିତ କରି ଫେରାଇ ଦେଲେ । ଗାର୍ଡ଼ୱାଲ ସହ ୱାଲ କରି ରାସ୍ତା ନିର୍ମାଣ କରିବା ବଦଳରେ ପୁରୁଣା ରାସ୍ତାରେ ବାଲି ଫିଲିଂ କରି ସିମେଣ୍ଡ, ମେଟାଲ, ଚିପ୍ସ ଓ ବାଲିରେ ହେରାଫେରି କରି ଢ଼ଳେଇ ପକାଇ ସମ୍ପୂର୍ଣ୍ଣ ଭାବେ ବିଲ ପାଶ କରାଇ ଦେଇଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ନବୀନଙ୍କ ୫-ଟି ଓ ମୋ ସରକାର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଏଣୁ ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ଅଥବା ଭିଜିଲାନ୍ସ ତଦନ୍ତ କରାଯାଇ ଏହି ଦୁର୍ନୀତିରେ ଜଡ଼ିତ ଥିବା ସମସ୍ତ ଧଳାହାତୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି ।
ଏ ବିଷୟରେ ବିଧାୟକ ପ୍ରକାଶ ସୋରେନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ନରଣଖୁଂଟା ଗ୍ରାମର ରାଉତସାହି ଗ୍ରାମବାସୀ ରାସ୍ତା ନିର୍ମାଣରେ ଦୁର୍ନୀତି ହେବା ସାଙ୍ଗକୁ ସେମାନଙ୍କୁ ଅପମାନିତ କରାଯାଇଥିବା ବିଷୟରେ ଲିଖିତ ଅଭିଯୋଗ ଆଣିବା ପରେ ଏହା ଉପରେ ପତ୍ର ସଂଖ୍ୟା ୧୦୮/୧୭.୦୮.୨୦୨୦ରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ଏହାର ନକଲ ଅନୁସୂଚିତ ଜାତି ଓ ଜନଜାତି କମିଶନର ଓ ବାରିପଦା ପିଏ ଆଇଟିଡ଼ିଏଙ୍କ କାର୍ଯ୍ୟାଳୟକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ପଠାଇଥିଲେ । କିନ୍ତୁ, ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଏ ବିଷୟରେ ବିଧାନସଭାରେ ଉପସ୍ଥାପନ କରାଇବେ ବୋଲି ପ୍ରକାଶ କରିଥିଲେ ।
ସେହିପରି ବାରିପଦା ପିଏ ଆଇଟିଡ଼ିଏ ବସନ୍ତ କୁମାର ସେଠୀ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ତାଙ୍କର ମୋବାଇଲ ନମ୍ବର ୯୪୩୭୬୦୩୭୧୧ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ରିସିଭ କରି ନଥିଲେ । ଫଳରେ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁରେଇ ମୁର୍ମୁଙ୍କ ସହ ମୋବାଇଲ ନମ୍ବର ୭୫୨୦୧୧୧୧୧୧ରେ ଯୋଗାଯୋଗ କରିବାରୁ ରାସ୍ତା ନିର୍ମାଣରେ କୌଣସି ଦୁର୍ନୀତି ହୋଇ ନାହିଁ ବୋଲି ଗ୍ରାମବାସୀଙ୍କ ଅଭିଯୋଗକୁ ସିଧାସଳଖ ଭାବେ ଖଣ୍ଡନ କରିଥିଲେ । ରାସ୍ତା ନିର୍ମାଣରେ କୌଣସି ଦୁର୍ନୀତି କରାଯାଇ ନାହିଁ । ରିଭାଇଜଡ଼ ବିଲ୍ ମାଧ୍ୟମରେ ବିଲ୍ ପାଶ୍ କରାଯାଇଛି । ଗାର୍ଡ଼ୱାଲ ଓ ୱାଲ ସବୁକିଛି ନିର୍ମାଣ କରାଯାଇଛି । କିନ୍ତୁ, ତାହା ଆପଣ ଦେଖି ପାରି ନ ଥିବେ ବୋଲି କହିବା ସହ ଆପଣ ନିଜେ ଫିଲଡ଼କୁ ଯାଇଥିଲେ ନା କାହା କଥାରେ ପ୍ରଶ୍ନ କରୁଛନ୍ତି ବୋଲି ସୂଚନା ଦେଇଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠିଛି, ୨୦୧୭-୧୮ ମସିହାର ସ୍ପେଶାଲ ଫଣ୍ଡ କାର୍ଯ୍ୟ ପ୍ରାୟ ୩ ବର୍ଷ ବିଳମ୍ବରେ ଆରମ୍ଭ କରାଯିବାର ପଛରେ କେଉଁ କାରଣ ରହିଛି । ପୁଣି ବିଭାଗ ପକ୍ଷରୁ କାର୍ଯ୍ୟ ୨୦୨୦ ଜୁଲାଇ ୧ରେ ଆରମ୍ଭ ହୋଇଥିଲା । ତେଣୁ ନିୟମ ଅନୁସାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ନିର୍ମାଣକୁ ନେଇ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ଲାନ ଏଷ୍ଟିମେଂଟ ପ୍ରସ୍ତୁତ କରି ଲେଆଉଟ ଦେବା ସହ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଇ ଥାନ୍ତି । ସୂଚନା ଫଳକରେ ବିଶ୍ୱେଶର ନାଏକ ହାଉସଠାରୁ ଦୁଃଶାସନ ହାଉସ ପର୍ଯ୍ୟନ୍ତ ୨୯୭ ଫୁଟ୍ ଲମ୍ବର ସିସି ରୋଡ଼ ନିର୍ମାଣ କରାଯଇଥିବାର ଉଲ୍ଲେଖ କରାଯାଇଥିବା ସମୟରେ ବାସ୍ତବରେ ୧୬୪ ଫୁଟ ରାସ୍ତା ନିର୍ମାଣ ସହ କନିଷ୍ଠ ଯନ୍ତ୍ରୀଙ୍କ ସୂଚନା ଭିତରେ ଏକ ଅଡ଼ୁଆ ସୂତାର ଖିଅ ରହିଯାଇଥିବାର ସୂଚନା ଦେଉଛି । ତେବେ ନରଣଖୁଂଟା ଗ୍ରାମର ରାଉତସାହି ଜନସାଧାରଣଙ୍କ ଅଭିଯୋଗକୁ ଭିତି କରି ଏହାର ଭିଜିଲାନ୍ସ ଅଥବା ନିରପେକ୍ଷ ଭାବେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିପାରନ୍ତା । ଏଥି ସହିତ ରାସ୍ତା ମୁଖ୍ୟ ରାସ୍ତାକୁ ସଂଯୋଗ ହୋଇପାରି ନ ଥିବାରୁ ନିର୍ମାଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧିତ ହୋଇ ନ ପାରିବା ସାଙ୍ଗକୁ ଏହା ଜନସାଧାରଣଙ୍କ କାର୍ଯ୍ୟରେ ଆସିପାରିଲା ନାହିଁ ।