ବ୍ରହ୍ମପୁର: ଗଞ୍ଜାମବାସୀ ହେଉଛନ୍ତି ଜଣେ ଜଣେ କରୋନା ଯୋଦ୍ଧା । ଟିମ୍ ୱାର୍କ ଯୋଗୁ କରୋନା ମହାମାରୀକୁ ସାମ୍ନାକରି ବିଜୟ ହେବାରେ ଆମେ ସାମାନ୍ୟ ସଫଳ ହୋଇଛେ । କିନ୍ତୁ ବର୍ତ୍ତମାନ ମଧ୍ୟ ସମସ୍ତେ ସତର୍କତା ଅବଲମ୍ବନକରି କରୋନାକୁ ମୁକାବିଲା କରିବାକୁ ପଡିବ । ବର୍ତ୍ତମାନ ଜିଲ୍ଲାରେ ଲକ୍ଷଣ ନଥିବା ରୋଗୀ ମଧ୍ୟ ଚିହ୍ନଟ ହେଲେଣି । ଆଜି ସୁଦ୍ଧା ଆମ ଜିଲ୍ଲାରେ କରୋନା ରୋଗୀଙ୍କ ପରୀକ୍ଷା ୪ଲକ୍ଷ ଟପିଲାଣି । ବର୍ତ୍ତମାନ ଦୈନନ୍ଦିନ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷା ହେଉଛି । ସେଥିମଧ୍ୟରୁ ୫୦ ବା ୫୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଶୁଭ ଖବର । ବାହାର ଜିଲ୍ଲାର ଲୋକେ ଏଠାକୁ ଯାଆସ କଲେଣି । ସେମାନଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି । ଜିଲ୍ଲାରେ ଥିବା ୩ କୋଭିଡ୍ ହସ୍ପିଟାଲ ଅମିତ୍, ଟାଟା ଓ ଏମ୍କେସିଜି ପରିସରରେ ଥିବା କୋଭିଡ୍ ହସ୍ପିଟାଲକୁ ଗଞ୍ଜାମ ଜିଲ୍ଲା ତଥା ବାହାର ଜିଲ୍ଲାର କରୋନା ରୋଗୀ ଏଠାକୁ ଆସି ଚିକିତ୍ସା ହୋଇ ସୁସ୍ଥ ହୋଇ ଫେରୁଛନ୍ତି । ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ କନ୍ଧମାଳ ଜିଲ୍ଳାର ଗୁରୁତର କରୋନା ରୋଗୀ ଏଠାକୁ ଆସି ଚିକିତ୍ସିତ ହେଉଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଜିଲ୍ଲାରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣ ରହିଛି । ମାସ୍କର ସଠିକ୍ ବ୍ୟବହାରକଲେ ଟିକାର ଆବଶ୍ୟକ ନାହିଁ । ସାମାଜିକ ଦୂରତା ହେଉଛି ଆମ ପାଇଁ ଇମ୍ୟୁନିଟି(ଶକ୍ତି ପ୍ରତିଶୋଧକ) ଓ ସାନିଟାଇଜର ହେଉଛି ଆମର ଔଷଧ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାକୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଭୁତାଣୁ ଆସିଲାଣି । ତେଣୁ ନୂଆ ଧରଣର କରୋନା ରୋଗୀ ମଧ୍ୟ ଚିହ୍ନଟ ହେଲେଣି । ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ପରିଣତ କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ । ଆଜିଠାରୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ କୋଭିଡ୍ ସପ୍ତାହ ଭାବେ ଜିଲ୍ଲା ପ୍ରଶାସନ ପାଳନ କରିବ । ଜିଲ୍ଲାରେ ସଂକ୍ରମଣ କମିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ ଲୋପ ପାଇନାହିଁ । ଆଗାମୀ ଅକ୍ଟୋବର ମାସ ଜିଲ୍ଲାବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନସ୍ଥିତିରେ ଜିଲ୍ଲାବାସୀ ସମ୍ପୂର୍ଣ୍ଣ ଭୟମୁକ୍ତ ହୋଇ ସଚେତନତା ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଅନ୍ୟ ଜିଲ୍ଲାକୁ ଯିବା ଆସିବା କରୁଛନ୍ତି । ବସ୍, ଅଟୋଗୁଡିକରେ ସଚେତନତା ନିୟମ ପାଳନ ହେଉନାହିଁ । ଯଦି ସଚେତନତା ପଦକ୍ଷେପ ଗ୍ରହଣ କରାଯାଏ ନାହିଁ ତେବେ ପୁର୍ନବାର କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ । ତେଣୁ ଜିଲ୍ଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବା ନେଇ ଏହି କୋଭିଡ୍ ସପ୍ତାହ ପାଳନ କରାଯାଉଛି । ପ୍ରତ୍ୟେକ ବ୍ୟକ୍ତି ଯେପରି ସଂକ୍ରମିତ ହେବେନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ । ସଂକ୍ରମଣ ବୃଦ୍ଧି ଘଟୁଥିବା ଜିଲ୍ଲାରୁ ଆସୁଥିବା ବ୍ୟକ୍ତି ଓ ଏହି ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାତାୟାତ କରୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ । ଜିଲ୍ଲାର ୨୨ଟି ବ୍ଲକ୍ ସହ ସମସ୍ତ ଏନ୍ଏସି, ମ୍ୟୁନସିପାଲଟି ଓ ବିଏମ୍ସି ଅଞ୍ଚଳ ତଥା ସହରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ସପ୍ତାହରେ ଗୋଟିଏ ଦିନ ପ୍ଲାକାର୍ଡଧରି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବଣ୍ଟନ କରାଯିବ । କୋଭିଡ୍ ବିଷୟବସ୍ତୁକୁ ଆଧାରକରି କୋଭିଡ୍ର ସ୍ଲୋଗାନ, ବକ୍ତୃତା, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗୀତା ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ କରାଯିବ । ବ୍ଲକ୍ସ୍ତରରେ ଓ ଜିଲ୍ଲାସ୍ତରରେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଜୟ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରଶାସନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ । ପଞ୍ଚସୂତ୍ରୀ ପାଳନ କରୁନଥିବା ଦୋକାନ ବିରୋଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲାର ସମସ୍ତ ଜନସାଧାରଣ ଯେପରି ମାସ୍କ ବିନା ବାହାରକୁ ବାହାରିବେ ନାହିଁ ସେଥିପ୍ରତି ସଚେତନତା କରାଯିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯଥା ସୋରଡା, ବୁଗୁଡା, ଜଗନ୍ନାଥପ୍ରସାଦ, ପୋଲସରା, ପାତ୍ରପୁର, ଚିକିଟି, ସାନଖେମୁଣ୍ଡି, ଦିଗପହଣ୍ଡି ଆଦି ବ୍ଲକ୍ ଅଞ୍ଚଳର ଉପାନ୍ତ ଇଲାକାକୁ ସ୍ୱାସ୍ଥ୍ୟ ଟିମ୍ ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ପ୍ଲାଜମା ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଇ ଦାନ ପାଇଁ ନିବେଦନ କରାଯିବ । ଏହାସହ ଏହି ନିୟମ ପାଳନ ପାଇଁ ଶପଥ ପାଠ ମଧ୍ୟ କରାଯିବ । କୋଭିଡ୍-୧୯ର ସଚେତନତା ପାଇଁ ଜନସାଧାରଣଙ୍କୁ ସାମିଲ୍ କରିବା ସହ ନିଜେ ସଚେତନ ଓ ନିଜ ପରିବାରକୁ ସଚେତନତା ଉପରେ ଗୁରୁତ୍ୱବହନ କରୁଥିବା ସମସ୍ତ ଅଧିକାରୀଙ୍କୁ ଏଥିରେ ସାମିଲ୍ କରାଯିବ ବୋଲି କୁହାଯାଇଥିଲା । ଜିଲ୍ଲାରେ ବର୍ତ୍ତମାନ ଦୈନନ୍ଦିନ ୬୦୦ରୁ ଊର୍ଦ୍ଧ୍ୱ ଆର୍ଟିପିସିଆର୍ ଟେଷ୍ଟ ହେଉଥିବା ବେଳେ ୪ହଜାରରୁ ଊର୍ଦ୍ଧ୍ୱ ଆଣ୍ଟିଜେନ୍ ଟେଷ୍ଟ ହେଉଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍ସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାରୋ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଉପସ୍ଥିତ ଥିଲେ ।