କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ କଜଳା ସ୍ଥିତ ନିମାଇଁ ଚରଣ ମାନସିକ ଅନୁଷ୍ଠାନ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମାନସିକ ଅନଗ୍ରସର ବ୍ୟକ୍ତି ମାନଙ୍କୁ ଚିକିତ୍ସା ଓ ଯତ୍ନ ଏବଂ ସାମାଜିକ ସୁରକ୍ଷା ଦିଆଗଲେ ସେମାନେ ଉନ୍ନତି କରିପାରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଜାତୀୟ ଆଇନ ସେବା ପ୍ରାଧିକରଣ( ନାଲସା) ପକ୍ଷରୁ ୨୦୧୫ ଆଇନ ଅନୁଯାୟୀ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ସୁବିଧାରେ ଚିକିତ୍ସା, ଆନ୍ତରିକତା ସହ ଯତ୍ନ ଓ ସାମାଜିକ ସୁରକ୍ଷା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବକ୍ତା ମାନେ ଆଲୋଚନା କରିଥିଲେ ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଉର୍ମିଳା ମିଶ୍ର, ସିଭିଲ ଜଜ୍ ଜ୍ଞାନରଞ୍ଜନ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମିର୍ଜା ବାବର ବେଗ, ଏସଡିଜେଏମ ଦିଗବିଜୟ ଦାସ, ନିମାଇଁ ଚରଣ ମାନସିକ ଅନୁଷ୍ଠାନର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।