(ହିଞ୍ଜିଳିକାଟୁ- ) ଗଞ୍ଜାମ ଜିଲ୍ଲାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ହିଞ୍ଜିଳିକାଟୁ, ଗଞ୍ଜାମ ଜିଲ୍ଲାରେ ଏକ ମାତ୍ର ମୁନିସିପାଲିଟି । ପୌର ପରିଷଦ ଘୋଷଣା ହେବା ପରେ ଅଞ୍ଚଳର ବିବିଧ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ହିଞ୍ଜିଳିରେ ନୂତନ ବସଷ୍ଟାଣ୍ଡର ପରିକଳ୍ପନା ଏକ ଅନ୍ୟତମ ପ୍ରକଳ୍ପ। ଗତ ବର୍ଷ ଏପ୍ରିଲ ମାସରୁ ହିଞ୍ଜିଳିରେ ନୂତନ ବସ୍ ଟର୍ମିନାଲ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି ସତ କିନ୍ତୁ ପରିତାପର ବିଷୟ ଯେ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ। ପ୍ରକଳ୍ପ କାର୍ଯ୍ୟ କେବେ ଠାରୁ ଆରମ୍ଭ କେବେ ଶେଷ ତାହା ମଧ୍ୟ କୌଣସି ସୂଚନା ଫଳକ ମଧ୍ୟ ଦେଖିବାକୁ ମିଳୁନାହିଁ। ଠିକାଦାରଙ୍କୁ ବିଭାଗୀୟ ଅନୁକମ୍ପା ନା ଅନ୍ୟ କିଛି ଭାବ-ଲାଭର ସମ୍ପର୍କ ପ୍ରକଳ୍ପର ତତ୍ତ୍ୱାବଧାରକ ଉଭୟ ବିଡିଏ ଓ ପୂର୍ତ୍ତ ବିଭାଗ ସହ ରହିଛି ତାହା ଜଣା ପଡୁନାହିଁ। ସୂଚନା ଫଳକ ନଥିବା ଫଳରେ ଅଞ୍ଚଳବାସୀ ମାନସିକ ଦ୍ଵନ୍ଦରେ ପଡିଛନ୍ତି। ସରକାରଙ୍କ ନିୟମ ଅନୁସାରେ କୌଣସି ଠିକା ସଂସ୍ଥା ପ୍ରକଳ୍ପ ନିର୍ମାଣ ସକାଶେ କାର୍ଯ୍ୟାଦେଶ ପାଇବା ପରେ ସମ୍ପୃକ୍ତ ଠିକାଦାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରକଳ୍ପ ସମ୍ବନ୍ଧରେ ବିଷଦ ବିବରଣୀ ରହିଥିବା ସୂଚନା ଫଳକ ଲଗାଇବା ନିୟମ ରହିଛି। ଏହି ସୂଚନା ଫଳକରେ ପ୍ରକଳ୍ପ ନାମ, ପ୍ରକଳ୍ପ ଅଟକଳ ମୂଲ୍ୟ, ଠିକାଦାରଙ୍କ ନାମ, ବିଭାଗ ନାମ ପ୍ରକଳ୍ପ ଆରମ୍ଭ ତାରିଖ ଶେଷ ତାରିଖ ସବୁର ଉଲ୍ଲେଖ ରହିବା କଥା। କିନ୍ତୁ ଏଠି ସବୁ ନିୟମକୁ ମୋଡ଼ି ମକଚି ଠିକାଦାର ପଦଦଳିତ କରି ରଖିଥିବା ଦେଖିବାକୁ ମିଳୁଛି। କୋଟି କୋଟି ଟଙ୍କା ମଞ୍ଜୁର କରି ସରକାର ନିର୍ଦ୍ଧିଷ୍ଟ ସମୟ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଶେଷ ହେଉନାହିଁ। ସବୁ ଠାରୁ ଆଶ୍ଚଯ୍ୟ ବିଷୟ ଯେ ଏହି ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଅଧିକାରୀ ମାନେ ଆସିଥିଲେ ମଧ୍ୟ କାହାର କିପରି ନଜର ପଡୁନାହିଁ। ପ୍ରକଳ୍ପରେ ସୂଚନା ଫଳକ ନଥିବା ହେତୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଓ ସାଧୁତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।