କନ୍ଧମାଳ – ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ଟଣ୍ଡ୍ରିଗାଁ ନାଳ ନିକଟରେ ଥିବା ଏକ ବିଲ ମଝିରେ ଜଣେ ଯୁବକର କ୍ଷତବିକ୍ଷତ ରକ୍ତାକ୍ତ ଶବ ପଡିଥିବା ଦେଖିବାକୁ ମିଳିଥିଲା । ତା’ର ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ସହ ସମ୍ପୂର୍ଣ୍ଣ ଶରୀର ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡି ରହିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଫିରିଙ୍ଗିଆ ଥାନା ପୋଲିସକୁ ଖବର ଦେଇଥିଲେ । ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓ ସଦଳବଳେ ଘଟଣାସ୍ଥଳରେ ପହଂଚିଥିଲେ । ଘଟଣା ସମ୍ପର୍କରେ ଜାଣିବାପରେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସେଠାରେ ପହଂଚି ଛାନଭିନ୍ କରି ଫେରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ଅପରାଧି ମାନଙ୍କର ତଲାସି ଜାରି ରଖିଥିବା ଜଣାପଡିଛି । ଯୁବକ ଜଣକ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କାଶିନିପଦର ଗ୍ରାମପଂଚାୟତର ଦାସୁରୀ ସାହିର ବିମଳ କହଁର ବୋଲି ଜଣାପଡିଛି । ତା ପକେଟରୁ ଏକ ଟ୍ରେନ ଟିକଟ ମିଳିଛି । ସେଥିରୁ ସେ ଗତକାଲି ବାଙ୍ଗାଲୋରରୁ ଆସିଥିବା ଜଣାପଡିଛି । ଗତ ପ୍ରାୟ ଏକ ବର୍ଷ ହେଲା ବିମଳ ବାଙ୍ଗାଲୋରରେ ରହି କୌଣସି ଏକ କମ୍ପାନୀରେ କାର୍ଯ୍ୟ କରୁଥିଲା । ସେ ଗତକାଲି ଫୁଲବାଣୀରେ ପହଂଚି ସେଠାରୁ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବସ୍ ଯୋଗେ ଆସି ଫିରିଙ୍ଗିଆରେ ପହଂଚିଥିବା କିଛି ଲୋକ ଦେଖିଥିବା କହିଛନ୍ତି । ତେବେ ସେ ଗାଁକୁ ଆସିଥିବା ନେଇ ତାଙ୍କ ପରିବାର ଲୋକଙ୍କୁ କୌଣସି ସୂଚନା ନଥିବା ପରିବାର ଲୋକେ କହିଛନ୍ତି । ଖବର ପାଇ ମୃତକଙ୍କ ବାପା କୀର୍ତି କହଁର ଫିରିଙ୍ଗିଆ ଥାନାରେ ଏ ନେଇ ଏକ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଫିରିଙ୍ଗିଆ ଥାନା ପୋଲିସ ଏକ ହତ୍ୟା ମାମଲା ୭୬/୧୯ ରେ ରୁଜ୍ଜୁ କରି ମାମଲାର ତଦନ୍ତ ଚଳାଇଛି ।
Related Stories
October 25, 2024