ନୂଆଦିଲ୍ଲୀ/ଭୁବନେଶ୍ୱର – ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥାର ନିକ୍ଷେପ ପରୀକ୍ଷଣ ଶୃଙ୍ଖଳାର ଅଂଶବିଶେଷ ସ୍ୱରୂପ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଏକକାଳୀନ ଦୁଇଟି ପରୀକ୍ଷାମୂଳକ ନିକ୍ଷେପ ସଫଳତାପୂର୍ବକ ସମ୍ପନ୍ନ ହୋଇଛି । ଡିସେମ୍ବର ୧୯ରେ ପ୍ରଥମ ପରୀକ୍ଷଣ କରାଯାଇଥିଲା, ଏଥିରେ ୭୫ କିମି ଦୂର ଲକ୍ଷ୍ୟକୁ ସଫଳତା ପୂର୍ବକ ଭେଦ କରାଯାଇଥିଲା । ଆଜି ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ପୂର୍ବାହ୍ନ ୧୧ଟା ସମୟରେ ଦ୍ୱିତୀୟ ପରୀକ୍ଷଣ ସଫଳତାର ସହ ସମ୍ପାଦିତ ହୋଇଥିଲା ।
କମ ଦୂରତାରେ ଜୀବନ୍ତ ବିସ୍ଫୋରକ ବହନ କରି ଲକ୍ଷ୍ୟ ଭେଦ କ୍ଷମତା ଓ ଏକକାଳୀନ ନିକ୍ଷେପକୁ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଆଜିର ପରୀକ୍ଷଣ କରାଯାଇଥିଲା । ୬୦ ସେକେଣ୍ଡ ଅନ୍ତରାଳରେ ଦୁଇଟି ପିନାକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ୨୦ କିମି ଦୂରରେ ଥିବା ଲକ୍ଷ୍ୟ ଉଦ୍ଦେଶ୍ୟରେ ଛଡ଼ାଯାଇଥିବା କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସଠିକତା ସହ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା । ଏହି କ୍ଷେପଣାସ୍ତ୍ର ସହ ଜୀବନ୍ତ ବିସ୍ଫୋରକ ଓ ପ୍ରକ୍ସିମିଟି ଫ୍ୟୁଜ ସଂଯୋଗ କରାଯାଇଥିଲା । ଟେଲିମେଟ୍ରୀ, ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ବହୁମୁଖ୍ୟ ବ୍ୟବସ୍ଥା ଜରିଆରେ ଏହାକୁ ଟ୍ରାକ କରାଯାଇଥିଲା, ଯାହା ନିକ୍ଷେପର ପ୍ରଦର୍ଶନକୁ ସୁନିଶ୍ଚିତ କରିଥିଲା ।
ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନିମନ୍ତେ ଡିଆରଡିଓ ସମୁଦାୟକୁ ଅଭିନନନ୍ଦନ ଜଣାଇଥିଲେ ।