
ଭୁବନେଶ୍ୱର। ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ଆୟୋଜିତ ଦୁଇଦିନିଆ “ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫ “ଏବଂ “ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀ”କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି , ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ,ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକଗଣ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ “ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀ” ଉଦ୍ଘାଟନ କରିବା ପରେ ସମ୍ମିଳନୀ ମୁଖ୍ୟ ସଭାସ୍ଥଳରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ସହସ୍ରାଧିକ ସଂଖ୍ୟାରେ ଦେଶ ବିଦେଶରୁ ଆସିଥିବା ଶିଳ୍ପପତି, ପୁଞ୍ଜିନିବେଶକ, ଶିଳ୍ପାନୁଷ୍ଠାନର ପ୍ରତିନିଧି ପ୍ରମୁଖ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ଜଣାଇଥିଲେ ।
ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୨୫ ମସିହା ଜାନୁଆରୀ ମାସରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ଥିଲା । ପ୍ରବାସୀ ଭାରତୀୟ ଦିବସ ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ସେ ତାଙ୍କ ଗସ୍ତକୁ ମନେ ପକାଇଥିଲେ । ଆୟୋଜିତ ଏହି ସମ୍ମିଳନୀ ଓଡ଼ିଶାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବ୍ୟବସାୟିକ ସମ୍ମିଳନୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ପ୍ରାୟ ୫-୬ ଗୁଣ ଅଧିକ ନିବେଶକ ଅଂଶଗ୍ରହଣ କରିଛନ୍ତି । ଏହି ମହାନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେ ଜନସାଧାରଣ ଏବଂ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ଅଭିବୃଦ୍ଧିରେ ପୂର୍ବ ଭାରତ ବିକାଶର ଏକ ଇଞ୍ଜିନ୍ ଏବଂ ଓଡ଼ିଶା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ଐତିହାସିକ ତଥ୍ୟରୁ ଜଣାପଡେ, ଭାରତ ବିଶ୍ୱ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲାବେଳେ ପୂର୍ବ ଭାରତରେ ବୃହତ୍ ଶିଳ୍ପ କେନ୍ଦ୍ର, ବନ୍ଦର, ବାଣିଜ୍ୟ କେନ୍ଦ୍ର ଥିଲା ଏବଂ ଏଥିରେ ଓଡ଼ିଶା ଉଲ୍କେଖନୀୟ ଭୂମିକା ଗ୍ରହଣ କରିଥିଲା । ଦକ୍ଷିଣ ପୂର୍ବ ଏସିଆ ବାଣିଜ୍ୟରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା ଏବଂ ବନ୍ଦରଗୁଡ଼ିକ ଭାରତର ପ୍ରବେଶ ପଥ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ମଧ୍ୟ ଓଡ଼ିଶାରେ ବାଲିଯାତ୍ରା ପାଳନ କରାଯାଏ । ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସାମ୍ପ୍ରତିକ ଭାରତ ଗସ୍ତକୁ ମନେପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରପତି ତାଙ୍କ ଡିଏନଏରେ ହୁଏତ ଓଡ଼ିଶା ରହିଛି ବେଲି କହିଥିଲେ ।
ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବେ ଏକବିଂଶ ଶତାବ୍ଦୀରେ ଏହାର ପୂର୍ବ ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ କରିବା ଆରମ୍ଭ କରିଛି । ସେ ଉଲ୍ଲେଖ କରିଥିଲେ ଯେ, ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ସଦ୍ୟ ଓଡ଼ିଶା ଗସ୍ତ କରିଥିଲେ ଏବଂ ସିଙ୍ଗାପୁର-ଓଡ଼ିଶା ସହିତ ସମ୍ପର୍କକୁ ନେଇ ବହୁତ ଉତ୍ସାହିତ ହୋଇଥିଲେ । ଏସିଆନ୍ ଦେଶଗୁଡ଼ିକ ମଧ୍ୟ ଓଡ଼ିଶା ସହିତ ବାଣିଜ୍ୟ ଏବଂ ପାରମ୍ପରିକ ସଂଯୋଗକୁ ସୁଦୃଢ଼ କରିବାରେ ଆଗ୍ରହ ଦେଖାଇଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟକୁ ବିଚାରକୁ ନେଲେ ବର୍ତ୍ତମାନ ରାଜ୍ୟ ପାଇଁ ସବୁଠାରୁ ଅଧିକ ସମ୍ଭାବନା ସୃଷ୍ଟି ହୋଇଛି । ସେ ଉପସ୍ଥିତ ସମସ୍ତ ନିବେଶକଙ୍କୁ ଆହ୍ୱାନ କରି କହିଥିଲେ ଯେ ଓଡ଼ିଶାର ବିକାଶ ଯାତ୍ରାରେ ନିବେଶ କରିବାର ବର୍ତ୍ତମାନ ସଠିକ୍ ସମୟ ଏବଂ ସେମାନଙ୍କର ନିବେଶ ସଫଳତାର ନୂତନ ଶିଖରକୁ ନେଇଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ ।
କୋଟି କୋଟି ଲୋକଙ୍କର ଆକାଂକ୍ଷାର ପୃଷ୍ଠଭୂମିରେ ଭାରତ ବିକାଶ ପଥରେ ଆଗେଇ ଚାଲିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ମନ୍ତବ୍ୟ ଦେଇଥିଲେ ଯେ ଏଆଇ ର ଅର୍ଥ ହେଉଛି ଉଭୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ( କୃତ୍ରିମ ବୁଦ୍ଧିମତ୍ତା ) ଏବଂ ଆସ୍ପିରେସନ ଅଫ୍ ଇଣ୍ଡିଆ( ଭାରତର ଆକାଂକ୍ଷା), ଯାହା ଦେଶର ଶକ୍ତି । ସେ କହିଥିଲେ ଯେ, ଲୋକଙ୍କ ଆବଶ୍ୟକତା ପୂରଣ ହେଲେ ଆକାଂକ୍ଷା ବୃଦ୍ଧି ପାଏ ଏବଂ ଗତ ଦଶନ୍ଧିରେ କୋଟି କୋଟି ନାଗରିକ ସଶକ୍ତ ହୋଇଛନ୍ତି, ଯାହା ଦେଶକୁ ଲାଭ ପହଞ୍ଚାଇଛି । ଓଡ଼ିଶା ଏହି ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ନୂତନ ଭାରତର ଆଶା ଏବଂ ମୌଳିକତାର ପ୍ରତୀକ ଓଡ଼ିଶାକୁ ସର୍ବୋତ୍କୃଷ୍ଟ ରାଜ୍ୟ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ, ଓଡ଼ିଶାରେ ଅନେକ ସୁଯୋଗ ରହିଛି ଏବଂ ଏହାର ଲୋକମାନେ ସର୍ବଦା ଉନ୍ନତ ପ୍ରଦର୍ଶନ ପାଇଁ ଆଗ୍ରହ ଦେଖାଇଛନ୍ତି । ଗୁଜରାଟରେ ଥିବା ଓଡ଼ିଆା ଲୋକଙ୍କ ଦକ୍ଷତା, କଠିନ ପରିଶ୍ରମ ଏବଂ ସଚ୍ଚୋଟତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ନୂତନ ସୁଯୋଗ ସୃଷ୍ଟି ହୋଇଛି ଏବଂ ରାଜ୍ୟ ଖୁବ୍ ଶୀଘ୍ର ବିକାଶର ଅଭୂତପୂର୍ବ ଶିଖରରେ ପହଞ୍ଚିବ । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବାର ପ୍ରୟାସ ପାଇଁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ବନ୍ଦରଭିତ୍ତିକ ବିକାଶ, ମତ୍ସ୍ୟଚାଷ, ଆଇଟି, ଶିକ୍ଷା, ବୟନଶିଳ୍ପ, ପର୍ଯ୍ୟଟନ, ଖଣି ଏବଂ ସବୁଜ ଶକ୍ତି ସମେତ ବିଭିନ୍ନ ଶିଳ୍ପରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ।
ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିର ମାଇଲଖୁଣ୍ଟ ଆଉ ଦୂରରେ ନାହିଁ । ଗତ ଦଶନ୍ଧି ମଧ୍ୟରେ, ଉତ୍ପାଦନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଭାରତର ଅର୍ଥନୀତି ଦୁଇଟି ପ୍ରମୁଖ ସ୍ତମ୍ଭ ଉପରେ ନିର୍ଭର କରେ ଯଥା-ଅଭିନବ ସେବା କ୍ଷେତ୍ର ଏବଂ ଗୁଣାତ୍ମକ ଉତ୍ପାଦ । କେବଳ କଞ୍ଚାମାଲ ରପ୍ତାନି ଉପରେ ନିର୍ଭର କରି ଦେଶର ଦ୍ରୁତ ପ୍ରଗତି ସମ୍ଭବ ନୁହେଁ । ତେଣୁ, ଏକ ନୂତନ ଦୃଷ୍ଟିଭଙ୍ଗୀ ନେଇ ସମଗ୍ର ଇକୋସିଷ୍ଟମକୁ ରୂପାନ୍ତରିତ କରାଯାଉଛି । ଭାରତ ଖଣିଜ ପଦାର୍ଥ ଉତ୍ତୋଳନ କରି ଏହାକୁ ମୂଲ୍ୟଯୁକ୍ତ କରିବା ପାଇଁ ବିଦେଶକୁ ପଠାଇବାର ଧାରାକୁ ପରିବର୍ତ୍ତନ କରୁଛି । ଅନ୍ୟ ଦେଶରେ ପ୍ରକ୍ରିୟାକରଣ ପାଇଁ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିବାର ଧାରାକୁ ମଧ୍ୟ ପରିବର୍ତ୍ତନ କରାଯାଉଛି । ଶ୍ରୀ ମୋଦୀ କହିଥିଲେ ଯେ ରାଜ୍ୟ ମଧ୍ୟରେ ଓଡ଼ିଶାର ସମ୍ପଦ ସହ ଜଡିତ ଶିଳ୍ପଗୁଡ଼ିକର ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଉତ୍କର୍ଷ ଓଡ଼ିଶା କନକ୍ଲେଭ -୨୦୨୫ ଏହି ଲକ୍ଷ୍ୟକୁ ସାକାର କରିବାର ଏକ ମାଧ୍ୟମ ବୋଲି ସେ ଉଲ୍ଲେଖ କରିଥିଲେ ।
ବିଶ୍ୱରେ ଜୀବନଶୈଳୀରେ ନିରନ୍ତର ପରିବର୍ତ୍ତନ ଦେଖା ଯାଉଛି ଏବଂ ଏକ ପରିବେଶ ଅନୁକୂଳ ଭବିଷ୍ୟତ ଆଡକୁ ଅଗ୍ରସର ହେଉଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ପରିବେଶ ଅନୁକୂଳ କ୍ଷେତ୍ରରେ ଚାକିରିର ସମ୍ଭାବନା ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ସମୟର ଗୁରୁତ୍ୱ ଏବଂ ଆବଶ୍ୟକତା ସହିତ ଖାପ ଖୁଆଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଭାରତ ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ସୌର, ପବନ, ଜଳ ଏବଂ ହାଇଡ୍ରୋଜେନ ସମେତ ଏକ ପରିବେଶ ଅନୁକୂଳ ଭବିଷ୍ୟତ ଉପରେ ଧ୍ୟାନ ଦେଉଛି, ଯାହା ଏକ ବିକଶିତ ଭାରତର ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବ । ଏହି କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା ରହିଛି ଏବଂ ଜାତୀୟସ୍ତରରେ ସବୁଜ ହାଇଡ୍ରୋଜେନ ଏବଂ ସୌରଶକ୍ତି ମିଶନ ଆରମ୍ଭ ହୋଇଛି । ଓଡ଼ିଶାରେ ଅକ୍ଷୟ ଶକ୍ତି ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ନୀତିଗତ ନିଷ୍ପତ୍ତି ନିଆଯାଉଛି ଏବଂ ହାଇଡ୍ରୋଜେନ ଶକ୍ତି ଉତ୍ପାଦନ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁଜ ଶକ୍ତି ସହିତ, ଓଡ଼ିଶାରେ ପେଟ୍ରୋ ଏବଂ ପେଟ୍ରୋକେମିକାଲ କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସମ୍ଭାବନାକୁ ସୁନିଶ୍ଚିତ କରିବା ପାଇଁ ପାରାଦୀପ ଏବଂ ଗୋପାଳପୁରରେ ଶିଳ୍ପ ପାର୍କକୁ ଗୁରୁତ୍ୱ ଦିଆଯାଇଥିବା ସହିତ ନିବେଶ କ୍ଷେତ୍ର ବିକଶିତ କରାଯାଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳର ସମ୍ଭାବନାକୁ ବିଚାର କରି ଓଡ଼ିଶା ସରକାରଙ୍କୁ ଦ୍ରୁତ ନିଷ୍ପତ୍ତି ନେବା ଏବଂ ଏକ ନୂତନ ଇକୋସିଷ୍ଟମ ବିକଶିତ କରିବା ପାଇଁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଭାରତ ପାଇଁ ଏକବିଂଶ ଶତାବ୍ଦୀ ହେଉଛି ସଂଯୁକ୍ତ ଭିତ୍ତିଭୂମି ଏବଂ ବହୁମୁଖୀ ସଂଯୋଗୀକରଣର ଯୁଗ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି କହିଥିଲେ ଯେ, ଭାରତରେ ଯେଉଁ ପରିମାଣରେ ଏବଂ ଯେଉଁ ଗତିରେ ଭିତ୍ତିଭୂମି ବିକଶିତ ହେଉଛି, ତାହା ଦେଶକୁ ଏକ ଉତ୍କୃଷ୍ଟ ନିବେଶ ଗନ୍ତବ୍ୟସ୍ଥଳରେ ରୂପାନ୍ତରିତ କରିବ । ଉଦ୍ଦିଷ୍ଟ ମାଲ ପରିବହନ କରିଡରଗୁଡ଼ିକ ପୂର୍ବ ଏବଂ ପଶ୍ଚିମ ଉପକୂଳକୁ ସଂଯୋଗ କରୁଥିବାରୁ ଭୂମି-ଆବଦ୍ଧ ଅଞ୍ଚଳଗୁଡିକ ପାଇଁ ଏବେ ସାମୁଦ୍ରିକ ପରିବହନରେ ସୁବିଧା ହେଉଛି । ଦେଶ ସାରା ପ୍ଲଗ୍-ଏଣ୍ଡ-ପ୍ଲେ ସୁବିଧା ସହିତ ବହୁ ଶିଳ୍ପ ସହର ନିର୍ମାଣ କରାଯାଉଛି । ଓଡ଼ିଶାରେ ମଧ୍ୟ ସୁଯୋଗ ବୃଦ୍ଧି ପାଉଛି ଏବଂ ରାଜ୍ୟରେ ରେଳ ଏବଂ ରାଜପଥ ନେଟୱାର୍କ ସହିତ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଚାଲିଛି । ଶିଳ୍ପ କ୍ଷେତ୍ରରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ପାଇଁ, ସରକାର ବନ୍ଦରଗୁଡ଼ିକୁ ଶିଳ୍ପ କ୍ଲଷ୍ଟର ସହିତ ସଂଯୋଗ କରୁଛନ୍ତି ଏବଂ ପୂର୍ବରୁ ଥିବା ବନ୍ଦରଗୁଡ଼ିକର ସମ୍ପ୍ରସାରଣ ସହ ନୂତନ ବନ୍ଦର ନିର୍ମାଣ ହେଉଛି । ସାମୁଦ୍ରିକ ଅର୍ଥନୀତି ଦୃଷ୍ଟିରୁ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ ।
ପରିବର୍ତ୍ତିତ ବିଶ୍ୱରେ ଯୋଗାଣ ଶୃଙ୍ଖଳର ଆହ୍ୱାନଗୁଡ଼ିକୁ ଜାଣିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଆଂଶିକ ଏବଂ ଆମଦାନୀ-ଭିତ୍ତିକ ଯୋଗାଣ ଶୃଙ୍ଖଳ ଉପରେ ନିର୍ଭର କରିପାରିବ ନାହିଁ । ଏହା ବଦଳରେ, ବିଶ୍ୱସ୍ତରୀୟ ଅନିଶ୍ଚିତତାର ପ୍ରଭାବକୁ କମ କରିବା ପାଇଁ ଭାରତ ଭିତରେ ଏକ ଦୃଢ଼ ଯୋଗାଣ ଏବଂ ମୂଲ୍ୟଶୃଙ୍ଖଳ ଗଠନ କରିବାକୁ ପଡିବ । ଏହି ଦାୟିତ୍ୱ ସରକାର ଏବଂ ଶିଳ୍ପ ଉଭୟଙ୍କର । ଶିଳ୍ପଗୁଡ଼ିକୁ ଏମଏସଏମଇ ଏବଂ ଯୁବ ଷ୍ଟାର୍ଟଅପ୍ଗୁଡ଼ିକୁ ସମର୍ଥନ କରିବାକୁ ଆହ୍ୱାନ କରି ଶ୍ରୀ ମୋଦି ଅଭିବୃଦ୍ଧି ପାଇଁ ଗବେଷଣା ଏବଂ ନବସୃଜନର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାର ଦେଶରେ ଏକ ଉତ୍କୃଷ୍ଟ ଗବେଷଣା ଇକୋସିଷ୍ଟମ ସୃଷ୍ଟି କରୁଛନ୍ତି, ଯେଉଁଥିରେ ଇଣ୍ଟର୍ନସିପ୍ ଏବଂ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପାଣ୍ଠି ଏବଂ ପ୍ୟାକେଜର ବ୍ୟବସ୍ଥା ରହିଛି । ସେ ଉଦ୍ୟୋଗପତିମାନଙ୍କୁ ସରକାରଙ୍କ ସହିତ ସକ୍ରିୟ ଭାବରେ ଅଂଶଗ୍ରହଣ ଏବଂ ସହଯୋଗ କରିବାକୁ ଉତ୍ସାହିତ କରିଥିଲେ । ଏକ ଦୃଢ଼ ଗବେଷଣାତ୍ମକ ପରିବେଶ ଏବଂ ଏକ ଦକ୍ଷ ଯୁବଶକ୍ତି, ସିଧାସଳଖ ଭାବେ ଶିଳ୍ପର ବିକାଶ ପାଇଁ ଲାଭଦାୟକ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ l ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାପାଇଁ ଶ୍ରୀ ମୋଦୀ ଶିଳ୍ପଦ୍ୟୋଗୀ ଏବଂ ଓଡ଼ିଶା ସରକାରଙ୍କୁ ଓଡ଼ିଶାର ଆକାଂକ୍ଷା ସହିତ ସମନ୍ୱିତ ଏକ ଆଧୁନିକ ଇକୋସିଷ୍ଟମ ନିର୍ମାଣ କରିବାପାଇଁ ଏକାଠି କାମ କରିବାକୁ ଅନୁରୋଧ କରିଥିଲେ । ଏହା ଓଡ଼ିଶା ଭିତରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟ ପାଇଁ ସମୃଦ୍ଧି, ଶକ୍ତି ଏବଂ ପ୍ରଗତି ଆଣିବବୋଲି ସେ ମତପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱର ଲୋକମାନେ ଭାରତକୁ ବୁଝିବା ଏବଂ ଶିଖିବା ପାଇଁ ଆଗ୍ରହୀ । ହଜାର ହଜାର ବର୍ଷର ଐତିହ୍ୟ ଏବଂ ଇତିହାସ ସହିତ ଭାରତକୁ ବୁଝିବା ପାଇଁ ଓଡ଼ିଶା ଏକ ଉତ୍କୃଷ୍ଟ ସ୍ଥାନ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ରାଜ୍ୟରେ ବିଶ୍ୱାସ, ଆଧ୍ୟାତ୍ମିକତା, ଜଙ୍ଗଲ, ପର୍ବତ ଏବଂ ସମୁଦ୍ରର ଏକ ଅନନ୍ୟ ସମିଶ୍ରଣ ରହିଛି । ଶ୍ରୀ ମୋଦି ଓଡ଼ିଶାକୁ ବିକାଶ ଏବଂ ଐତିହ୍ୟର ଏକ ମଡେଲ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାରେ ଜି-୨୦ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକକୁ ମୁଖ୍ୟ କାର୍ଯ୍ୟକ୍ରମର ଏକ ଅଂଶ କରାଯାଇଥିଲା । ସେ ୫୦୦ କିଲୋମିଟର ଉପକୂଳ, ୩୩% ରୁ ଅଧିକ ଜଙ୍ଗଲ ଆଚ୍ଛାଦିତ , ପରିବେଶ -ପର୍ଯ୍ୟଟନ ଏବଂ ଦୁଃସାହସିକ-ପର୍ଯ୍ୟଟନ ପାଇଁ ଅସୀମ ସମ୍ଭାବନା ସହିତ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ , ଯେ ଭାରତର ଧ୍ୟାନ ” ଓ୍ୱେଡ୍ ଇନ୍ ଇଣ୍ଡିଆ” ଏବଂ “ଭାରତରେ ସୁସ୍ଥତା” ଉପରେ ଥିଲା ଏବଂ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପରିବେଶ ଏହି ପଦକ୍ଷେପଗୁଡ଼ିକର ବହୁତ ସହାୟକ ହେଉଥିଲା ।
ସମ୍ମିଳନୀ ପର୍ଯ୍ୟଟନ ପାଇଁ ଭାରତରେ ଯଥେଷ୍ଟ ସମ୍ଭାବନା ଥିବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ମଣ୍ଡପମ୍ ଏବଂ ଦିଲ୍ଲୀର ଯଶୋଭୂମି ଭଳି ସ୍ଥାନ ଏହି କ୍ଷେତ୍ର ପାଇଁ ପ୍ରମୁଖ କେନ୍ଦ୍ର ହୋଇପାରୁଛି । ସେ କନସର୍ଟ ଅର୍ଥନୀତିର ଉଦୀୟମାନ କ୍ଷେତ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଭାରତରେ ସଂଗୀତ, ନୃତ୍ୟ ଏବଂ କାହାଣୀ କହିବାର ସମୃଦ୍ଧ ଐତିହ୍ୟ ଏବଂ ଯୁବ କନସର୍ଟ ଦର୍ଶକଙ୍କ ପାଇଁ ଏକ ପ୍ରମୁଖ ପ୍ରସନ୍ଦ ହେବା ସହିତ ଏହାର ଅର୍ଥନୀତି ପାଇଁ ଅପାର ସମ୍ଭାବନା ରହିଛି । ସେ ଆହୁରି ମଧ୍ୟ କହିଥିଲେ, ଯେ ଗତ ଦଶନ୍ଧି ମଧ୍ୟରେ, ଲାଇଭ୍ ଇଭେଣ୍ଟର ଧାରା ଏବଂ ଚାହିଦା ବୃଦ୍ଧି ପାଇଛି । ମୁମ୍ବାଇ ଏବଂ ଅହମ୍ମଦାବାଦରେ ସମ୍ପ୍ରତି କୋଲଡ୍ ପ୍ଲେ କନସର୍ଟକୁ ଭାରତରେ ଲାଇଭ୍ କନସର୍ଟର ପରିସରର ପ୍ରମାଣ ଭାବରେ ଦର୍ଶାଇ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ ଯେ ପ୍ରମୁଖ ବିଶ୍ୱ କଳାକାରମାନେ ଭାରତ ପ୍ରତି ଆକର୍ଷିତ ହୋଇଛନ୍ତି । କନସର୍ଟ ଅର୍ଥନୀତି ପର୍ଯ୍ୟଟନକୁ ବୃଦ୍ଧି କରିବା ସହିତ ଏବଂ ଅନେକ ନିଯୁକ୍ତି ସୃଷ୍ଟି କରେ । ସେ ରାଜ୍ୟ ଏବଂ ଘରୋଇ କ୍ଷେତ୍ରକୁ କନସର୍ଟ ଅର୍ଥନୀତି ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଦକ୍ଷତା ଉପରେ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଇଭେଣ୍ଟ ପରିଚାଳନା, କଳାକାର ପରିଧାନ, ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଅନ୍ତର୍ଭୁକ୍ତ, ଯେଉଁଠାରେ ନୂତନ ସୁଯୋଗ ସୃଷ୍ଟି ହେଉଥିବା ସେ କହିଥିଲେ ।
ଶ୍ରୀ ମୋଦୀ କହିଛନ୍ତି ଯେ, ଆସନ୍ତା ମାସରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ( ଓ୍ୱେଭ୍ସ ) ଆୟୋଜନ କରିବ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବିଶ୍ୱ ସମ୍ମୁଖରେ ଭାରତର ସୃଜନଶୀଳ ଶକ୍ତିକୁ ପ୍ରଦର୍ଶନ କରିବ । ଏପରି କାର୍ଯ୍ୟକ୍ରମ ରାଜସ୍ୱ ବୃଦ୍ଧି କରିବା ସହ ସୃଜନଶୀଳତାକୁ ଉଜ୍ଜୀବିତ କରେ, ଯାହା ଅର୍ଥନୀତିର ଅଭିବୃଦ୍ଧିରେ ଯୋଗଦାନ ଦିଏ । ଏପରି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଥିବେ ସେ ପ୍ରକାଶ କରିଥିଲେ ।
ଏକ ବିକଶିତ ଭାରତ ଗଠନରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଲୋକମାନେ ଏକ ସମୃଦ୍ଧ ରାଜ୍ୟ ଗଠନ କରିବାକୁ ସଂକଳ୍ପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସମର୍ଥନ ଯୋଗାଇ ଦେଉଛନ୍ତି । ସେ ଓଡ଼ିଶା ପ୍ରତି ତାଙ୍କର ଶ୍ରଦ୍ଧା ପ୍ରକାଶ କରି ଉଲ୍ଲେଖ କରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ଭାବରେ ପ୍ରାୟ ୩୦ ଥର ଏହି ରାଜ୍ୟ ଗସ୍ତ କରିଛନ୍ତି ଏବଂ ଏହାର ଅଧିକାଂଶ ଜିଲ୍ଲାକୁ ଯାଇଛନ୍ତି । ସେ ଓଡ଼ିଶାର ସମ୍ଭାବନା ଏବଂ ଏହାର ଲୋକଙ୍କ ଉପରେ ତାଙ୍କର ବିଶ୍ୱାସ ଉପରେ ଜୋର ଦେଇଛନ୍ତି । ତାଙ୍କ ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ସମସ୍ତ ଅଂଶୀଦାରଙ୍କ ଦ୍ୱାରା କରାଯାଇଥିବା ନିବେଶ ସେମାନଙ୍କର ବ୍ୟବସାୟ ଏବଂ ଓଡ଼ିଶାର ପ୍ରଗତିକୁ ନୂତନ ଉଚ୍ଚତାରେ ପହଞ୍ଚାଇବ। ସେ ସମ୍ପୃକ୍ତ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ “ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡ଼ିଶା” ରେ ଯୋଗଦାନ କରି ଶୁଭାରମ୍ଭ କରିବା ଆମ ପାଇଁ ଗର୍ବ ଓ ଗୌରର୍ବର ବିଷୟ । ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପଞ୍ଚମ ଗସ୍ତ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦାନ କରି ଓଡ଼ିଶାରେ ନିବେଶ ସୁଯୋଗ ସୃଷ୍ଟି କରିବା ଆମ ପାଇଁ ବଡ଼ ଉପହାର ହୋଇଛି, ଯଦ୍ୱାରା କିଛି ମାସ ପରେ ରାଜ୍ୟର ବିକାଶର ସ୍ଥିତି ଓ ଦିଗ ବଦଳିଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୭ ମାସ ତଳେ ପ୍ରଧାନମନ୍ତ୍ରୀ ‘ପୂର୍ବୋଦୟ’ର ବିକାଶ ପ୍ରତିଷ୍ଠା ସ୍ୱରୂପ ଯେଉଁ ମୂଳଦୂଆ (ଭିତ୍ତିପ୍ରସ୍ତର) ସ୍ଥାପନ କରିଥିଲେ , ସେହି ଭିତ୍ତିପ୍ରସ୍ତର ଉପରେ ଏକ ମଜଭୁତ ଢାଞ୍ଚା ନିର୍ମାଣ ହେଉଥିବା ସେ ପ୍ରକାଶ କରିଥିଲେ । ଏଥିପାଇଁ ଓଡ଼ିଶାବାସୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ମିଳନୀରେ ଯୋଗଦାନ, ଉପସ୍ଥିତ ନିବେଶକ ଏବଂ ବ୍ୟବସାୟୀ ସମୁଦାୟ ମଧ୍ୟରେ ରାଜ୍ୟରେ ନିବେଶ ପାଇଁ ତଥା ଦୀର୍ଘକାଳୀନ ନିବେଶରେ ରହିବାପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାର ଅଂଶ ସ୍ୱରପ, ପୂର୍ବ ଭାରତରେ ଓଡ଼ିଶା, କେବଳ ସୁଯୋଗର ଭୂମି ନୁହେଁ ବରଂ ଦେଶର ଡ୍ରାଇଭିଂ ଇଞ୍ଜିନ୍ ହେବାକୁ ଯାଉଛି । ସମୃଦ୍ଧ ଓ ବ୍ୟାପକ ପ୍ରାକୃତିକ ସମ୍ପଦ, ଉନ୍ନତ ସଡ଼କ, ରେଳ ଓ ବନ୍ଦର ଭିତ୍ତିଭୂମି ସହିତ ଦୁବାଇ, ସିଙ୍ଗାପୁର ଭଳି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ସମେତ ଦକ୍ଷ ଶ୍ରମ ଶକ୍ତି, ଶାନ୍ତିପୂର୍ଣ୍ଣ ସାମାଜିକ ଢାଞ୍ଚା, ଏକ ସ୍ଥିର ଏବଂ ପ୍ରଗତିଶୀଳ ଦୃଷ୍ଚିଭଙ୍ଗୀ ରଖୁଥିବା ସରକାର ଏବଂ ସର୍ବୋପରି ଶିଳ୍ପ ଅନୁକୂଳ ନୀତି ଯୋଗୁଁ ପୁଞ୍ଜି ନିବେଶ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନା ରହିଥିବା ସେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜି ନିବେଶ ସୁଯୋଗ ଅନୁସନ୍ଧାନ କରିବା ପାଇଁ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁର ପରିଦର୍ଶନ କରିଥିବା ଓ ଆଲୋଚନା ସମୟରେ ଓଡ଼ିଶାରେ ନିବେଶ କରିବାକୁ ଯେଉଁ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ, ଆଜିର ସମ୍ମିଳନୀରେ ବହୁ ସଂଖ୍ୟାରେ ଯୋଗଦାନ, ଏବେ ତାହାର ଫଳାଫଳକୁ ଦର୍ଶାଉଛି ବୋଲି ସେ କହିଥିଲେ । ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଆମେ ସିଙ୍ଗାପୁରର ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର ସୌଭାଗ୍ୟ ପାଇଲୁ ଏବଂ ସିଙ୍ଗାପୁରର ପ୍ରମୁଖ ସଂସ୍ଥାଗୁଡ଼ିକ ସହିତ ଆଠଟି ପରିବର୍ତ୍ତନକାରୀ ବୁଝାମଣାପତ୍ର ସ୍ୱାକ୍ଷର କଲୁ ବୋଲି ସେ କହିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ମାର୍ଗଦର୍ଶନରେ ଓଡ଼ିଶା ଏହାର ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦେଶର ଦୁଇ ଡଜନରୁ ଅଧିକ ରାଜ୍ୟ ନିଜ ନିଜ ରାଜ୍ୟକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହା ଭାରତୀୟ ଅର୍ଥନୀତି ପାଇଁ ଉତ୍ତମ । ଆମର ସିଙ୍ଗଲ-ୱିଣ୍ଡୋ କ୍ଲିୟରାନ୍ସ, ଅନାବଶ୍ୟକ ଏବଂ ଏଡ଼ାଇ ଦିଆଯାଇପାରୁଥିବା ଦସ୍ତାବିଜକୁ ଦୂର କରିବା ଭଳି ନିଷ୍ପତ୍ତି ଦ୍ୱାରା ଆମେ ନିବେଶକମାନଙ୍କ କାର୍ଯ୍ୟ ସହଜ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଆମେ ସମସ୍ତ ୩୦ଟି ଜିଲ୍ଲାରେ ବୈଷୟିକ ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ ଏବଂ ଏମଏସଏମଇ ପାର୍କ ପାଇଁ କ୍ଷେତ୍ରୀୟ ପାର୍କ ସହିତ ରାଜ୍ୟରେ ନୂତନ ଏଫଡିଆଇ ପାର୍କ ସମେତ ସୁବିଧାରେ ଶିଳ୍ପ ପାର୍କ ସ୍ଥାପନ ପାଇଁ ପ୍ଲଗ୍ ଆଣ୍ଡ ପ୍ଲେ ବ୍ୟବସ୍ଥା କରୁଛୁ । ଆମ ସରକାର ଭୌଗୋଳିକ ଏବଂ କ୍ଷେତ୍ରୀୟ ବିବିଧତା ଉପରେ ରଣନୈତିକ ଧ୍ୟାନ ଦେଇ ଶିଳ୍ପାୟନର ଲାଭ ଯେପରି ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚିବ, ତାହାକୁ ସୁନିଶ୍ଚିତ କରୁଛନ୍ତି । ମାଲକାନଗିରି, ରାୟଗଡ଼ା ଓ କେନ୍ଦୁଝର ଭଳି ଅଞ୍ଚଳ ଐତିହାସିକ ଦୃଷ୍ଟିରୁ ଅନଗ୍ରସର ଥିବା ବେଳେ ଏବେ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ପାଲଟିଛି । ରାଜ୍ୟର ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ସୁଯୋଗ ରହିଛି । ଏହି ଅସୀମିତ ସୁଯୋଗର ଫାଇଦା ଉଠାଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ସମ୍ମିଳନୀରେ ଯୋଗ ଦେଇଥିବା ନିବେଶକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ନିବେଶ କ୍ଷେତ୍ରରେ ବିଭିନ୍ନ ସୁଯୋଗ ରହିଛି । ଖଣି ଏବଂ ଧାତୁବିଜ୍ଞାନ କ୍ଷେତ୍ର ସହିତ ଆମେ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ, ସବୁଜ ହାଇଡ୍ରୋଜେନ, ଆଇଟି ସେବା, ବୟନଶିଳ୍ପ, ଔଷଧ ଏବଂ ଧାତୁ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ନିବେଶକମାନଙ୍କ ନିକଟରେ ଉପସ୍ଥାପନ କରି ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ସହ ପୁଞ୍ଜିନିବେଶ କରିବାକୁ ସେ ଉତ୍ସାହିତ କରିଥିଲେ । ଏ ସମସ୍ତ ବିଶ୍ୱର ଅଭିବୃଦ୍ଧି ଧାରା ସହିତ ସଂଯୁକ୍ତ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୁଶଳୀ ଶ୍ରମଶକ୍ତିର ନିରନ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମ ସରକାର “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଛନ୍ତି । ସେମିକଣ୍ଡକ୍ଟର, ଉନ୍ନତ ଉତ୍ପାଦନ ଏବଂ ଆଇଟି/ଆଇଟିଇଏସ୍ଏମ୍ ଭଳି ଉଦୀୟମାନ ଉଦ୍ୟୋଗ ଗୁଡ଼ିକ ପାଇଁ ଆମେ ଆମର ଯୁବକମାନଙ୍କୁ ଆଧୁନିକ ଯୁଗର ଆବଶ୍ୟକତା ଅନୁସାରେ ଦକ୍ଷତା ପ୍ରଦାନ କରୁଛୁ, ଯାହା ଦ୍ୱାରା ଶିଳ୍ପଜଗତ ପାଇଁ ପ୍ରସ୍ତୁତ ପ୍ରଶିକ୍ଷିତ ମାନବସମ୍ବଳ ଶ୍ରମ ବଜାରରେ ପ୍ରବେଶ କରିପାରିବେ ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାରେ ପରିଣତ କରିବାକୁ ହେବ ଏବଂ ଦେଶକୁ ତୃତୀୟ ବୃହତ୍ତମ ଅର୍ଥନୀତି ବ୍ୟବସ୍ଥାରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଦୂରଦୃଷ୍ଟି ଓ ସଂକଳ୍ପ ରହିଛି, ଏହି ଯଜ୍ଞରେ ଓଡ଼ିଶାର ବିଶେଷ ଯୋଗଦାନ ରହିବ । ଓଡ଼ିଶାର ଶିଳ୍ପ ବିକାଶ କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ପ୍ରଗତିର ଏକ ମଡେଲ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ କରି ଓଡ଼ିଶାରେ ନିବେଶ ପାଇଁ ଏହି ସମୟ ପ୍ରକୃତ ସମୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକମାନଙ୍କୁ ଓଡ଼ିଶାର ଅଭିବୃଦ୍ଧିରେ ସହଭାଗୀ ହେବା ସହ ବିକାଶର ସଫଳ କାହାଣୀର ଏକ ଅଂଶ ହେବାକୁ ଖୋଲା ହୃଦୟରେ ସାଦର ନିମନ୍ତ୍ରଣ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଶିଳ୍ପ ସଂଗଠନ ଯଥା ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ, ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତ ରିସୋର୍ସେସ୍ର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ, ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଜିନ୍ଦଲ, ଜେଏସ୍ପିଏଲ୍ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ୍ଙ୍କ ସମେତ ବି. ଡ଼ି. ଗୋୟେଙ୍କା, ହିତେଶ ଦୋଷି, କରନ୍ ଆଦାନୀ, ଟି. ଭି. ନରେନ୍ଦ୍ରନ୍ ପ୍ରମୁଖ ସେମାନଙ୍କର ଭିଡ଼ିଓ ବାର୍ତ୍ତାରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ଆୟୋଜନ ନିମନ୍ତେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶାରେ ଶିଳ୍ପ ବିକାଶ ଯାତ୍ରାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ପୃଷ୍ଠଭୂମି
“ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫” ହେଉଛି ଏକ ପ୍ରମୁଖ ବିଶ୍ୱ ନିବେଶ ସମ୍ମିଳନୀ, ଯାହା ଓଡ଼ିଶା ସରକାର ଦ୍ୱାରା ଆୟୋଜିତ ହେଉଛି, ଯାହା ରାଜ୍ୟକୁ ପୂର୍ବୋଦୟ ଦୃଷ୍ଟିକୋଣର ଉପସ୍ଥାପକ ଭାବରେ ଭାରତରେ ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଏବଂ ଶିଳ୍ପ କେନ୍ଦ୍ର ଭାବରେ ସ୍ଥାପନ କରିବାର ଲକ୍ଷ୍ୟ ରଖିଛି । ଆଜି ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଥିଲେ ଯାହା ଏକ ଚଳ ଚଂଚଳ ଶିଳ୍ପ ଇକୋସିଷ୍ଟମ ବିକାଶରେ ରାଜ୍ୟର ଉଲ୍ଲେଖନୀୟ ସଫଳତାକୁ ଦର୍ଶାଇଥାଏ । ଏହି ଦୁଇ ଦିନିଆ କନକ୍ଲେଭ ୨୮ ଓ ୨୯ ଜାନୁଆରୀ ପର୍ଯ୍ୟନ୍ତ ଦୁଇଦିନ ଧରି ଅନୁଷ୍ଠିତ ହେଉଛି । ଏହା ଶିଳ୍ପ ନେତା, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିବ ଏବଂ ଏକ ପସନ୍ଦର ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶା ପ୍ରଦାନ କରୁଥିବା ସୁଯୋଗଗୁଡ଼ିକୁ ଏକତ୍ର ଆଲୋଚନା କରିବା ପାଇଁ ପ୍ଲାଟଫର୍ମ ସୃଷ୍ଟି କରିବ । ଏହି କନକ୍ଲେଭରେ ପ୍ରମୁଖ ଶିଳ୍ପ ନେତୃବୃନ୍ଦଙ୍କ ସହିତ ଗୋଲଟେବୁଲ ବୈଠକ, କ୍ଷେତ୍ରୀୟ ଅଧିବେଶନ, ବି-ଟୁ-ବି ବୈଠକ ଏବଂ ନୀତି ଆଲୋଚନା ଆୟୋଜନ କରାଯିବ, ଯାହା ବିଶ୍ୱବ୍ୟାପୀ ନିବେଶକଙ୍କୁ ଆକୃଷ୍ଟ କରିବାକୁ ସୁନିଶ୍ଚିତ କରିବ ।