ସମ୍ବଲପୁର – ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ । ସେନେଇ ଘରେ ଘରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଲାଣି । ସାଙ୍ଗସାଥୀ ବନ୍ଧୁ ବାନ୍ଧବଙ୍କ ମେଳରେ ଘର ପୁରି ଉଠିଲାଣି । ଚାକିରୀ ତଥା ଅନ୍ୟ କୌଣସି କାମରେ ରାଜ୍ୟ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ହେଲେ ଆସନ୍ତା କାଲି ନୂଆଁଖାଇ ପୂର୍ବରୁ ଆଜି ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ପାହୁର ଯାତ୍ରା । ନୂଆଁଖାଇ ପୂର୍ବଦିନ ଏହି ନିଆରା ପାହୁର ଯାତ୍ରା ପାଳନ କରାଯାଇଥାଏ । ଏହି ଉପଲକ୍ଷେ ନୂଆଁଖାଇ ପାଇଁ ଦରକାର ହେଉଥିବା ସମସ୍ତ ଜିନିଷ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଦେବାଦେବୀଙ୍କ ମନ୍ଦିରକୁ ନିଆଯାଇଥାଏ । ଏହାକୁ ପାହୁରା ଯାତ୍ରା କୁହାଯାଏ । ଆସନ୍ତାକାଲି ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଶୁଭ ଲଗ୍ନ ଭାଦ୍ରବ ଶୁକ୍ଳପକ୍ଷ ପଚଂମୀ ତିଥିରେ ସକାଳ ୧୦ଟା ୫ ମିନିଟ୍ ରୁ ୧୦ଟା ୨୦ ମିନିଟ୍ ମଧ୍ୟରେ ଅମୃତ ବେଳାରେ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି ପରେ ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆ ଖାଇଥାନ୍ତି । ଅନ୍ୟପକ୍ଷରେ ଆସନ୍ତାକାଲି ନୂଆଁଖାଇ ନିମନ୍ତେ ପୂଜା ସାମଗ୍ରୀ, ନୂଆ ବସ୍ତ୍ର, ଫଳ, ପନିପରିବା ଆଦି କିଣିବା ନିମନ୍ତେ ହାଟ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂଆଁଖାଇ ଅବସରରେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ନିକଟରେ ନବ ବସ୍ତ୍ର ଓ ନବାନ୍ନ ଲାଗି କରାଯାଇଥାଏ । ପରେ ଅନ୍ୟ ଦେବାଦେବୀଙ୍କୁ ନବାନ୍ନ ଲାଗି ପରେ ଲୋକେ ନବାନ୍ନ ଭୋଜନ କରିଥାନ୍ତି । ଘରେ ଘରେ ପିଠାପଣା ସାଙ୍ଗକୁ ନବବସ୍ତ୍ର ପରିଧାନ ପୂର୍ବକ ବନ୍ଧୁବାନ୍ଧବ, ସମ୍ପର୍କୀୟଙ୍କ ଗହଣରେ ଲୋକେ ଦିନଟିକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି । ବିଶେଷ କରି ଓଡ଼ିଶାର ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ସହର ଠାରୁ ଆରମ୍ଭ କରି ପୁରପଲ୍ଲୀରେ ନୂଆଁଖାଇ ପାଳନ ହୋଇଥାଏ । ଏହା ବ୍ୟତୀତ ରାଜ୍ୟ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ଓ ପ୍ରବାସୀ ଭାରତୀୟ ମାନଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ସ୍ଥାନରେ ନୁଆଁଖାଇ ଭେଟ୍ ଘାଟ୍ ର ଆୟୋଜନ କରାଯାଇଥାଏ ।