ରାଉରକେଲା – ରାଉରକେଲା ପୁଲିସ ବିଗତ ୨ଦିନ ଧରି ଆକ୍ସନ ମୁଡ୍ କୁ ଆସି ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ବେଳେ ଦୀର୍ଘ ୧୫ ବର୍ଷ ଧରି ସେକ୍ଟର ୧୭ରେ ଚାଲିଥିବା ଏକ ସେକ୍ସ ର୍ୟାକେଟ୍ ଉପରେ ଗତକାଲି ଚଢ଼ଉ କରି ୩ ଦେହଜିବୀଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି । ଦେହ ବ୍ୟବସାୟରେ ବ୍ୟବହାର ହେଉଥିବା ବିଛଣା, କଂଟ୍ରାସେପ୍ଟ, ନିଶାଦ୍ରବ୍ୟ, ମୋବାଇଲ, ଗାଡି, ନଗଦ ଟଙ୍କାକୁ ଜବତ କରିଛି ପୁଲିସ । ଗିରଫଙ୍କ ଭିତରେ ୪୦ବର୍ଷିଆ ରାଣୀ ମହୁମାଛି ଥିବା ଜଣାପଡିଛି । ସେ ଜଣେ ଓଡିଆ ଘରର ମହିଳା । ତାଙ୍କ ସ୍ୱାମୀ ରାଉରକେଲା ଇସ୍ପାତ କାରଖାନାରେ କାମ କରନ୍ତି । ଅନ୍ୟ ଦୁଇ ଦେହଜୀବି ୨୨ ରୁ ୩୦ବର୍ଷ ମଧ୍ୟରେ । ସେମାନେ ଅଣ ଓଡିଆ ମହିଳା । ସମସ୍ତେ ବିବାହିତ । ଗତକାଲି ରାଉରକେଲା ପୁଲିସ ଏନେଇ ରାତି ୧୨ଟା ପରେ ସେକ୍ଟର୧୭ ସି ବ୍ଲକର ଏହି ଘରେ ଚଢ଼ଉ କରିବାରୁ ସେଠାରୁ ଦୁଇଜଣ ଗରାଖ ଅସଞ୍ଜତ ଅବସ୍ଥାରେ ମିଳିଥିଲେ । ସେମାନେ ହେଲେ ଆଲୋକ କୁମାର ସେଠୀ, ରାଜୀବ ପାତ୍ର । ଏମାନେ ରାଉରକେଲାର ବାସିନ୍ଦା । ଏମାନଙ୍କ ମଧ୍ୟରୁ ଜଣେ ନୂଆଗାଁ ବ୍ଲକର ପ୍ରାଥମିକ ଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣେ ବିଟେକ୍ ଛାତ୍ର ବୋଲି ପୋଲିସ ସୂଚନା ଦେଇଛି ।
ଆଖ ପାଖର କିଛି ଲୋକଙ୍କ କହିବା କଥା, ଏହି କାରବାର ଗତ ୧୫ ବର୍ଷ ଧରି ଚାଲି ଆସୁଥିବା ବେଳେ ଗତ ୩ ବର୍ଷଧରି ଭିଡ ଅଧିକ ବଢୁଥିଲା । ସଖାଳୁ ରାତି ଯାଏ ବିଭିନ୍ନ ପ୍ରକାରର ଝିଅ, ମହିଳା ଆସିବା ସହ ମୋଟର ସାଇକେଲ, କାର୍ ବାଲାଙ୍କ ଭିଡ଼ ଜମୁଥିଲା । ଗରାଖ ପିଛା ୫୦୦ରୁ ୫ହଜାର ଯାଏ ବିଭିନ୍ନ ସ୍କିମ୍ ରେ ରେଟ୍ ମଧ୍ୟ ଚାଲିଥିଲା । ଏପରିକି ବାହାର ହୋଟେଲ, ସହରକୁ ଦେହଜିବୀଙ୍କୁ ନେଲେ ଅଧିକ ପରିମାଣର ଅର୍ଥ ଦେବାର ବ୍ୟବସ୍ଥା କୁଆଡେ ଏଠି ଚାଲିଥିଲା ବୋଲି ଆଲୋଚନା ଚାଲିଛି । ତେବେ ଆଖ ପାଖର ଲୋକେ ଏନେଇ ପୂର୍ବରୁ ପୁଲିସକୁ ଖବର ଦେଇଥିଲେ ସୁଦ୍ଧା ପୋଲିସ ଏ ଦିଗରେ ନିରବ ଥିଲା । ଏହି ଘଟଣା ପରେ ପୋଲିସ ଆକ୍ସନ ମୁଡ୍ କୁ ଆସିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ସେକ୍ଟର୧୫ ପୁଲିସ ଆଜି ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।