ପୁରୀ,ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାରରେ ଶ୍ରୀକ୍ଷେତ୍ରର ଶ୍ରୀ ଲୋକନାଥଙ୍କୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଜଳଲାଗି କରିଛନ୍ତି । ମାନସିକ ବ୍ରତ ପୂରଣ ପାଇଁ କାଉଡ଼ିଆମାନେ କଟକ ଗଡ଼ଗଡ଼ିଆ ଓ ଅନ୍ୟାନ୍ୟ ନଦୀଘାଟରୁ ପାଣି ଉଠାଇଥିଲେ । ଜଳପୂର୍ଣ୍ଣ କଳସକୁ ବାହୁଙ୍ଗିରେ ରଖି ଶୁଦ୍ଧପୁତ ଭାବେ ଖାଲି ପାଦରେ ଚାଲି ଚାଲି ଆସି ଶ୍ରୀ ଲୋକନାଥଙ୍କୁ ସ୍ମରଣ କରି ବୋଲବୋମ ଡାକି ଶ୍ରୀକ୍ଷେତ୍ରରେ ପହଂଚିବା ସହ ଶ୍ରୀଲୋକନାଥଙ୍କୁ ଜଳଲାଗି କରିଛନ୍ତି । ଆଜି ଭୋର୍ ଠାରୁ ଜଳଲାଗି ଆରମ୍ଭ ହୋଇଛି । କାଉଡ଼ିଆ ମାନେ ବାରିକେଡ୍ ରେ ଧାଡିରେ ଶ୍ରୀଲୋକନାଥଙ୍କୁ ଜଳଲାଗି କରିଥିଲେ ।
ବିଭିନ୍ନ ସ୍ଥାନରେ ଅନୁଷ୍ଠାନ ଗୁଡିକ ପକ୍ଷରୁ କାଉଡ଼ିଆମାନଙ୍କୁ ସେବା ଯୋଗାଇ ଦିଆଯାଇଛି । ଶ୍ରୀଲୋକନାଥଙ୍କ ପୀଠରେ ଭାର ରଖିବା ଓ ଜଳଲାଗି କରିବା ପାଇଁ ସ୍ଵତନ୍ତ୍ର ମଂଚା କରାଯାଇଛି । ବ୍ୟାରିକେଟ ଦେଇ ଲମ୍ବା ଲାଇନରେ କାଉଡ଼ିଆମାନେ ଜଣକ ପରେ ଜଣେ ଯାଇ ଦେବ ଦେବ ମହାଦେବଙ୍କୁ ଜଳଲାଗି କରିଛନ୍ତି ।
ଶ୍ରୀଲୋକନାଥ ଟ୍ରଷ୍ଟ ବୋର୍ଡ଼, ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ।