ଜୟପାଟଣା – ଜଳ ବନ୍ଦୀ ଅଞ୍ଚଳର ମଣିଷଙ୍କ ପାଇଁ ପ୍ରତ୍ୟେକ ସମୟରେ ଜୀବନ ରେଖା ପାଲଟିଥାଏ କାଠ ଡ଼ଙ୍ଗା । ଜଳ ଭଣ୍ଡାର ପୂର୍ଣ୍ଣାଙ୍ଗ ହେବାର ଇତି ମଧ୍ୟରେ ୨୦ ବର୍ଷ ବିତି ଯାଇଥିଲେ ବି ଜଳ ବନ୍ଦୀର ଜୀବନ ବିତାଉଥିବା ଅଭିଶପ୍ତ ମଣିଷମାନଙ୍କର ଏଯାବତ୍ ମାନବ ସମ୍ବଳର ବିକାଶ ହୋଇ ପାରିଲା ନାହିଁ । ଜଳସେଚନ ପାଇଁ କଳାହାଣ୍ଡି ଜିଲ୍ଳାରେ ସୁନାର ଫସଲ ଦେଖିବାକୁ ମିଳିଲା । ବିଦ୍ୟୁତ୍ ଉତ୍ପାଦନରୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ଆଦାୟ ହେଲା । ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ପରିଚୟ ବଢ଼ିଲା । ହେଲେ ଯେଉଁମାନେ ଇନ୍ଦ୍ରାବତୀ ପାଇଁ ନିଜର ଜୀବନ ଜୀବିକାକୁ ତୁଚ୍ଛ କରି ସର୍ବସ୍ବ ଅଜାଡି ନିସ୍ବ ହୋଇଗଲେ । ସେମାନଙ୍କ ହାଲ୍ ଚାଲ୍ ବୁଝିବା ବେଳକୁ ସମସ୍ତେ ପଛଘୁଞ୍ଚା ଦେଇ ବସିଲେ । ଏବେ ସେହି ବାସ୍ତୁହରା ମଣିଷମାନଙ୍କ ପାଇଁ ଜଳ ବନ୍ଦୀର ଜୀବନ ଶ୍ରେୟ ହେବା ସାଙ୍ଗକୁ ଆଖି ସାମ୍ନାରେ ମୃତ୍ୟୁର ବିଭିଷୀକା ଦେଖିବାକୁ ମିଳିଲା । କେତେବେଳେ ଡ଼ଙ୍ଗାବୁଡ଼ି ତ ଆଉ କେତେବେଳେ ଡ଼ାଇରିଆ ଓ ମ୍ୟାଲେରିଆ ପିଡୀତଙ୍କ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଥିଲା ତଥାପି ଏମାନଙ୍କର ସହବସ୍ଥାନ ପାଇଁ କେହି ବି ସଦୟ ଦୃଷ୍ଟି ଦେଲେ ନାହିଁ । ଏକ ସଂଘର୍ଷମୟ ଜୀବନ ଭିତରେ ଜୀବିକା ସ୍ୱାସ୍ଥ୍ୟସେବା, ଶିକ୍ଷା, ବିଜୁଳି ଭଳି ମୌଳିକ ଅଧିକାରମାନଙ୍କ ସାଙ୍ଗରେ ଏମାନଙ୍କୁ ଜୁଝିବାକୁ ପଡ଼ିଲା । ଇତି ମଧ୍ୟରେ ଚାରି ଗୋଟି ପାୱାର ଲଞ୍ଚ୍ ଏବେ ସେଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇ ସାରିଲାଣି । ଅନ୍ୟ ଉପାୟ ନଥିବା ବେଳେ ଲୋକେ ବାଧ୍ୟ ହୋଇ ସେହି ଦୂରାବସ୍ଥା ସମ୍ପନ୍ନ ପାୱାର ଡ଼ଙ୍ଗା ଯୋଗେ ଜଳଭଣ୍ଡାର ପାର୍ ହୋଇଥାନ୍ତି । ଲଞ୍ଚ୍ ଗୁଡିକର ଅବସ୍ଥା ଠିକ୍ ନଥିବାରୁ ଜଳ ଭଣ୍ଡାରର ପାଣି ଛୀଦ୍ର ଦେଇ ପଶି ଆସୁଥିବାରୁ ଯାତ୍ରୀ ସମେତ ନାବିକମାନେ ମଧ୍ୟ ଅହେତୁକ ବିପଦର ଆଶଙ୍କା କଲେଣି । ଥୂଆମୂଳ ରାମପୁର ବ୍ଳକ୍ ର ପୋଡ଼ାପଦର ପଞ୍ଚାୟତର ପୋଡ଼ାପଦର, ଘୁଟୃଖାଲ, ଝିରି, ତେନ୍ତୁଳିପଦର, ଭିତରଡ଼ୋଙ୍ଗା, ଲିଟିମସ୍କା, କାରବାଡ଼ି, ଭୁରଭୁରି ଟେମରା, ତଳ ଟେମରା, ଭିକ୍ ଟେମରା, ସରାଫାସ, ଉପରପଙ୍ଗା, ତଳପଙ୍ଗା, କଳାଟି, କୁଟପାଟ୍, ତଳଗୁଞ୍ଜମାଳି, ଉପର ଗୁଞ୍ଜଳି, କୋଟିକୁଡ଼ା ଚେପଟାଘାଟ୍ ଆଦି ଗାଁର ଲୋକେ ଜଳ ବନ୍ଦୀର ଜୀବନ ବିତାଉଥିବା ବେଳେ ଏମାନଙ୍କର ଯାତାୟତର ସୁବିଧା ପାଇଁ କଣାସୁକୁଲି, ଘୁଟୃଖାଲ, ତଳଟେମରା ଓ କାରବାଡ଼ି ଠାରେ ଚାରି ଗୋଟି ଯନ୍ତ୍ର ଚାଳିତ ଡ଼ଙ୍ଗା ଦିଆଯାଇଥିଲା । ଏହି ସବୁ ଡ଼ଙ୍ଗା ମାନଙ୍କରେ ସମ୍ପ୍ରତି ପାଣି ଝରୁଥିବାରୁ ଲୋକେ ଯାତାୟତ କ୍ଷେତ୍ରରେ ବିପଦ ମଣୁଥିବା ପ୍ରକାଶ କରୁଛନ୍ତି ।
ଏହି ସବୁ ଅଞ୍ଚଳର ପ୍ରାୟ ୨୦୦୦ ଲୋକ ନିଜର ଜୀବିକା ଓ ସ୍ୱାସ୍ଥ୍ୟସେବା ପାଇଁ ଏହି ଡ଼ଙ୍ଗା ଉପରେ ନିର୍ଭର କରିଥାନ୍ତି । ଅଞ୍ଚଳର ଗମନାଗମନର ସୁବିଧା ପ୍ରତି ଦୃଷ୍ଟି ଦେଇ ଯଥାଶିଘ୍ର ନୂତନ ଯନ୍ତ୍ର ଚାଳିତ ଡ଼ଙ୍ଗା ଯୋଗାଇ ଦେବା ପାଇଁ ରବଣା ନାଏକ, ସଦା ନାଏକ, ଅଭି ଝୋଡ଼ିଆ, ତ୍ରିନାଥ ଝୋଡ଼ିଆ, ଦେବରାଜ ଝୋଡ଼ିଆ, ପବିତ୍ର ନାଏକ, ମିନୁ ଝୋଡ଼ିଆ, ଦୁଜୁ ଝୋଡ଼ିଆ, ସନ୍ୟାସି ଗୌଡ଼, ବାଳମୁଣ୍ଡା ମାଝୀ, କତାରୁ ମାଝୀ, ସାନ୍ ଡ଼ମେନ ପ୍ରମୁଖ ଜିଲ୍ଳା ପ୍ରଶାସନ ନିକଟରେ ଦାବି କରିଛନ୍ତି ।