-
ପୁଡୁଚେରୀ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ପରିଦର୍ଶନ କଲେ
-
ପୁଡ଼ୁଚେରୀ ବୁଲି ଆସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
-
ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଭେଟି କଲେ ଆଲୋଚନା
-
ଚେନ୍ନାଇରେ ଟାଟା କନସୁଲଟାନ୍ସି ସର୍ଭିସର ଇଗନାଇଟ ସେଣ୍ଟର ପରିଦର୍ଶନ
ପୁଡ଼ୁଚେରୀ/ଚେନ୍ନାଇ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ପୁଡୁଚେରୀ ଓ ଚେନ୍ନାଇ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ପୁଡୁଚେରୀ ଠାରେ ଥିବା ଶ୍ରୀ ଅରବିନ୍ଦ ଆଶ୍ରମ ଗସ୍ତ କରିଥିଲେ । ଗତ ୨୫ ବର୍ଷ ପୂର୍ବରୁ ଏବିଭିପିର କାର୍ଯ୍ୟକର୍ତ୍ତା ଥିବାବେଳେ ସେ ଏହି ଆଶ୍ରମକୁ ଆସିଥିବା ସ୍ମୃତିଚାରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ସହ ସେ କହିଥିଲେ ମହର୍ଷି ଶ୍ରୀ ଅରବିନ୍ଦ ଆଧ୍ୟାତ୍ମିକ ଗୁରୁ ଭାବରେ ଭାରତ ବିଶ୍ୱଗୁରୁ ହେବାର କଳ୍ପନା କରିଥିଲେ ଏବଂ ଆତ୍ମନିର୍ଭର ଭାରତର ସଂରଚନା କରିଥିଲେ । ଶ୍ରୀ ଅରବିନ୍ଦ ଏବଂ ଶ୍ରୀ ମାଆଙ୍କ ଜୀବନ ଓ ଶିକ୍ଷା ଆମ ସମସ୍ତଙ୍କୁ ଭାରତକୁ ଏକ ଶିକ୍ଷା ଆଧାରିତ ମହାଶକ୍ତି ଭାବେ ପରିଣତ କରିବାରେ ପ୍ରେରଣା ଦେଉଛି । ଏହି ଅବସରରେ ଶ୍ରୀ ପ୍ରଧାନ ପୁଡୁଚେରୀ ବୁଲି ଆସିଥିବା ଓଡ଼ିଶା ବାଲେଶ୍ୱର ଜିଲ୍ଲାର ମୀରାମ୍ବିକା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭେଟି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ ।
ଏହା ପରେ ଶ୍ରୀ ପ୍ରଧାନ ପୁଡ଼ୁଚେରୀର ବିଜେପି କାର୍ଯ୍ୟାଳୟକୁ ଗସ୍ତ କରି କାର୍ଯ୍ୟକର୍ତ୍ତା ମାନଙ୍କୁ ଭେଟିଥିଲେ । ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଏଜେଣ୍ଡାକୁ ପୂରଣ କରିବାରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ନିରନ୍ତର ପରିଶ୍ରମ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ପୁଡୁଚେରୀର ଜନସାଧାରଣଙ୍କ କଲ୍ୟାଣ ଏବଂ ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ଚେନ୍ନାଇକୁ ଗସ୍ତ କରି ଟାଟା କନସୁଲଟାନ୍ସି ସର୍ଭିସର ଇଗନାଇଟ ସେଣ୍ଟର ପରିଦର୍ଶନ କରିଥିଲେ । ଟିସିଏସ ନିଜର ଇଗନାଇଟ୍ କାର୍ଯ୍ୟକ୍ରମ ମାଧ୍ୟମରେ ବିଜ୍ଞାନ ବିଭାଗର ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣି, ଡ୍ରୋନ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଦକ୍ଷ କରୁଥିବା ଜାଣି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ ।